ବିଧିର ଦାନ

ରାମଦାସ ଜଣେ ସାଧୁପ୍ରକୃତିର ଲୋକ | ସେ ସମସ୍ତଙ୍କୁ ସାହାଯ୍ୟ କରେ | କେବେ ମିଛ କହେ ନାହିଁ କି ଛଳନା କରେ ନାହିଁ |

ଦିନେ ହଠାତ୍ ରାମଦାସ ଘରେ ଚୋର ପଶି ତା'ର ସାମାନ୍ୟ ଧନ-ସମ୍ପଦ ନେଇଗଲା | ସକାଳେ ରାମଦାସ ଆଖିରେ ଅଶ୍ରୁ ଦେଖି ଗାଁ ଲୋକେ ଚାନ୍ଦା କରି ତା'ର କ୍ଷତିପୂରଣ କରି ଦେଲେ |

ଜଗୁରାଓ ଗାଁର ଜଣେ ଧନୀ କୃପଣ | ରାମଦାସର କ୍ଷତି ଲୋକେ ପୂରଣ କରିଦେବାର ଦେଖି ତା'ର ଭୀଷଣ ଈର୍ଷା ହେଲା | ଦିନେ ରାତିରେ ସେ ନିଜର ସବୁ ଧନ-ସମ୍ପଦ ନେଇ ଗାଁ ବାହାରେ ପୋଖରୀ ପାଖରେ ପୋତିଦେଲା ଓ ସକାଳେ ରଡ଼ି ବୋବାଳି ପକାଇ ଲୋକଙ୍କୁ ଘର ଭିତରକୁ ଡାକି ଆଣି ତା'ର ସବୁ ଚୋରି ହୋଇଯାଇଛି ବୋଲି ଦେଖାଇଦେଲା | ଲୋକେ ଆହା ଚୁ ଚୁ କଲେ | କିନ୍ତୁ ତାହାଠୁ ବେଶୀ କିଛି ନୁହେଁ | ସାହାଯ୍ୟ ଦେବା ପ୍ରଶ୍ନ କେହି ଜଣେ ହେଲେ ଉଠାଇଲେ ନାହିଁ  |

ଅମାବାସ୍ୟା ରାତିକୁ ପୋଖରୀ ପାଖରୁ ଜିନିଷତକ ଉଦ୍ଧାର କରିବାକୁ ନିଶ୍ଚୟ କରି ଜଗୁରାଓ ଅଗତ୍ୟା ଅପେକ୍ଷା କଲା | କିନ୍ତୁ ଦୁଇଦିନ ପରେ ମନ୍ଦିର ତୋଳିବା ପାଇଁ ପୋଖରୀ ପାଖରେ ଜମି ସମତଳ କରିବା ଆରମ୍ଭ କଲେ ସେ ଅଞ୍ଚଳର ଜମିଦାର | ଜଗୁରାଓର ସମ୍ପଦ ବାହାରିଲା | "ଏହା ବିଧିର ଦାନ, ମନ୍ଦିର କାମରେ ଖର୍ଚ୍ଚ ହେବ |" ଜମିଦାର କହିଲେ |