-- ପ୍ରଥମ ଅଧ୍ୟାୟ --
ବାଳକ, ଯିଏ ବଞ୍ଚି ରହିଲା
ଶ୍ରୀ ଯୁକ୍ତ ଓ ଶ୍ରୀମତୀ ଦୂର୍ଷାଳ, ଘର ନମ୍ବର ୪, ପ୍ରଭାତ ସାହି, ବଡ଼ ସରଳ ଲୋକ, ଧନ୍ୟବାଦ୍। କିଛି ଅଜବ ବା ରହସ୍ୟମୟ କଥା ହେଲେ ଘରେ କବାଟ ଦେଇ ରହନ୍ତି, ଆଜେବାଜେ ଜିନିଷ ତାଙ୍କ ଦିହରେ ଯାଏନି।
ଦୂର୍ଷାଳ ବାବୁଙ୍କର ଗୋଟିଏ ଲୁହା ଦୋକାନ ଅଛି, ଶାବଳ ବିକନ୍ତି । ସେ ବିଶାଳକାୟ ମଣିଷ, କାନ୍ଧ ଉପରେ ମୁଣ୍ଡଟି ଥୁଆ, ବିରାଟ ବଡ଼ ନିଶ । ଶ୍ରୀମତୀ ଦୂର୍ଷାଳ କିନ୍ତୁ ପତଳା ଓ ଗୋରା, ଦୁଇ ଗୁଣ ଲମ୍ବା ବେକ, ଯାହା ବଗିଚା ବାଡ଼ ପଛରୁ ପଡେ଼ାଶୀମାନଙ୍କ ଉପରେ ନଜର ରଖିବାରେ କାମରେ ଆସେ । ଦୂର୍ଷାଳ ଦମ୍ପତ୍ତିଙ୍କର ଛୋଟ ପୁଅଟିଏ ଅଛି, ଦୁଦୁଲି; ସେମାନଙ୍କ ମତରେ ଦୁଦୁଲି ପରି ସୁକୁମାର ପିଲା ବ୍ରହ୍ମାଣ୍ଡରେ ପାଇବ ନାହିଁ ।
ଦୁର୍ଷାଳ ବାବୁଙ୍କ ଘରେ ସବୁକିଛି ଥାଏ; ଗୋଟିଏ ରହସ୍ଯ ବି ଥାଏ; ତାଙ୍କର ବଡ଼ ଭୟ କି, କାଳେ କିଏ ତାଙ୍କର ଗୁପ୍ତ ରହସ୍ୟଟି ଜାଣି ଯିବ । ପାତ୍ର ପରିବାର ସହିତ ତାଙ୍କର ସମ୍ପର୍କ ବାହାର ଲୋକ କିଏ ଜାଣିଲେ ସେ ସହିପାରିବେ ନାହିଁ । ଶ୍ରୀମତୀ ପାତ୍ର ଶ୍ରୀମତୀ ଦୁର୍ଷାଳଙ୍କର ଭଉଣୀ, କିନ୍ତୁ ବହୁତ ବର୍ଷ ଧରି ଦେଖା ସାକ୍ଷାତ ନାହିଁ । ଦୁର୍ଷାଳାଣୀ ଭଉଣୀ ଥିବା ବିଷୟରେ କେବେ କିଛି କହନ୍ତି ନାହିଁ - କାରଣ ତାଙ୍କ ଭଉଣୀ ଓ ତା'ର ଅକର୍ମା ସ୍ଵାମୀ ଦୁର୍ଷାଳମାନଙ୍କ ଠାରୁ ସଂପୂର୍ଣ୍ଣ ଅଲଗା । ପାତ୍ରମାନେ କେବେ ତାଙ୍କ ଘରକୁ ଆସିଲେ ପଡ଼ୋଶୀମାନେ କ'ଣ କହିବେ ଦୁର୍ଷାଳ ଦମ୍ପତ୍ତି ଭାବି ପାରନ୍ତି ନାହିଁ । ତାଙ୍କୁ ଜଣାଥାଏ ଯେ ପାତ୍ର ଘର ଛୋଟ ପୁଅଟିଏ ଅଛି, କିନ୍ତୁ ସେମାନେ ତାକୁ କେବେ ବି ଦେଖି ନ ଥିଲେ। ସେ ପିଲା ବି ପାତ୍ରମାନଙ୍କ ଠାରୁ ଦୂରେଇ ରହିବାର ଗୋଟିଏ କାରଣ; ଦୁଦୁଲି ଏମିତି ପିଲା ସାଙ୍ଗରେ ମିଶୁ ବୋଲି ସେମାନେ ଚାହୁଁ ନ ଥିଲେ। ଦିନେ, ଏକ ମେଘୁଆ ଧୂଷର ମଙ୍ଗଳବାର ସକାଳେ, ଯେତେବେଳେ ଶ୍ରୀଯୁକ୍ତ ଓ ଶ୍ରୀମତୀ ଦୁର୍ଷାଳ ନିଦରୁ ଉଠିଲେ, ସେତେବେଳେ ଆମ କାହାଣୀର ଆରମ୍ଭ ।
ସେଦିନ ସକାଳର ମେଘାଚ୍ଛନ୍ନ ଆକାଶରେ କିଛି ଆଭାସ ନ ଥିଲା କି ଖୁବ୍ ଶୀଘ୍ର ଦେଶ ସାରା ଅଜବ ଓ ରହସ୍ୟମୟ ଘଟଣାମାନ ଘଟିଯିବ । ଦୁର୍ଷାଳ ବାବୁ କାମକୁ ଯିବା ପାଇଁ ତାଙ୍କର ସବୁଠାରୁ ପୁରୁଣା ପଞ୍ଜାବୀଟି ପିନ୍ଧିଲେ, ଗୀତ ଗାଇ ଗାଇ । ଦୁର୍ଷାଳାଣୀ ଗପି ଗପି କାନ୍ଦ ବୋବାଳି ଛାଡ଼ୁଥିବା ଦୁଦୁଲିକୁ ଗୋଟେ ଚଉକିରେ ବସାଇଲେ। ସେମାନେ କେହି ଦେଖି ପାରିଲେ ନାହିଁ କି ବଡ଼ ମାଟିଆ ଉଲ୍ଲୁକଟିଏ ଝରକା ସାମ୍ନା ଦେଇ ଉଡ଼ିଗଲା । ସମୟ ସକାଳ ସାଢ଼େ ଆଠଟା । ଦୁର୍ଷାଳ ବାବୁ ଝୁଲା ଧରି କାମକୁ ବାହାରିଲେ । ଯିବା ପୂର୍ବରୁ ଦୁଦୁଲିକୁ ଗେଲ କରିବାକୁ ଚେଷ୍ଟା କଲେ, କିନ୍ତୁ ଦୁଦୁଲି ସେ ସମୟରେ କାନ୍ଦ ବୋବାଳି ଛାଡ଼ି ଖାଇବା ଛତୁଆକୁ କାନ୍ଥ ବାଡ଼ରେ ଫିଙ୍ଗା ଫୋପଡା କରୁଥାଏ । "ଛୋଟ ପହିଲମାନ" କହି, ହସି ହସି ଦୁର୍ଷାଳ ବାବୁ ଘରୁ ବାହାରିଲେ ।
ଗାଡ଼ି ଧରି ୪ ନମ୍ବର ଗଳି ମୁଣ୍ଡରେ ପହଞ୍ଚିବା ବେଳେ ଦୁର୍ଷାଳ ବାବୁ ଦିନର ପ୍ରଥମ ଅସ୍ଵାଭାବିକ ଘଟଣା ଦେଖିଲେ -- ବିଲେଇଟିଏ ମାନଚିତ୍ର ପଢ଼ୁଥାଏ । କ୍ଷଣକ ପାଇଁ ଦୁର୍ଷାଳ ବାବୁ ବୁଝି ପାରିଲେ ନାହିଁ କି ସେ କ'ଣ ଦେଖୁଛନ୍ତି -- ତେଣୁ ସେ ମୁଣ୍ଡମୋଡ଼ି ଆଉଥରେ ପଛକୁ ଚାହିଁଲେ। ବିଲେଇଟିଏ ପ୍ରଭାତ ସାହି ଗଳି ମୁଣ୍ଡରେ ବସିଥାଏ, କିନ୍ତୁ କିଛି ମାନଚିତ୍ର ଫାନଚିତ୍ର କିଛି ନ ଥାଏ । ମତିଭ୍ରମ ହେଲା କି ଆଉ ? ଛାଇ ଆଲୁଅର ଖେଳ ନିଶ୍ଚୟ । ଦୁର୍ଷାଳ ବାବୁ ଆଖି ମିଟିକା ମାରି ବିଲେଇ ଆଡ଼କୁ ଚାହିଁଲେ -- ବିଲେଇ ବି ବାବୁଙ୍କ ଆଡ଼କୁ ଅନେଇଲା । ଗଳି ମୁଣ୍ଡ ରୁ ମୁଖ୍ୟ ରାସ୍ତାକୁ ଉଠିବା ବେଳେ ବାବୁ ଗାଡ଼ିର ଦର୍ପଣରେ ପୁଣିଥରେ ବିଲେଇକୁ ଦେଖିଲେ । ଏବେ ବିଲେଇ ରାସ୍ତା କଡ଼ର ମାଇଲ ଖୁଣ୍ଟ -- ଯେଉଁଥିରେ "ପ୍ରଭାତ ସାହି, ୦ କି.ମି." ଲେଖା -- ତାକୁ ପଢ଼ୁଥାଏ -- ନାଁ ନାଁ ଦେଖୁଥାଏ; ବିଲେଇମାନେ ମାନଚିତ୍ର ଅଥବା ମାଇଲଖୁଣ୍ଟ ପଢ଼ି ପାରନ୍ତି ନାହିଁ । ଦୁର୍ଷାଳ ବାବୁ ମୁଣ୍ଡ ହଲାଇ ବିଲେଇ କଥା ପାଶୋରି ଗଲେ ଏବଂ ସହରକୁ ଯିବା ବାଟରେ ଆଜି କିପରି ବହୁତଗୁଡ଼ାଏ ଶାବଳ ବିକ୍ରି ହେବ ସେ କଥା ଭାବି ଚାଲିଲେ । କିନ୍ତୁ ସହରପ୍ରାନ୍ତରେ ପହଞ୍ଚୁ ପହଞ୍ଚୁ ବାବୁ ସକାଳୁଆ ଟ୍ରାଫିକ ଜାମରେ ଫସିଗଲେ ଓ ଶାବଳ କଥା ତାଙ୍କ ମନରୁ ଦୂରେଇଗଲା | ସେହି ଟ୍ରାଫିକ ଜାମରେ ଗାଡ଼ିରେ ବସିରହି ସେ ଲକ୍ଷ୍ୟ କଲେ କି, ଆଖ ପାଖରେ ଅନେକ ଅଜବ ପୋଷାକ ପରିହିତ ଲୋକ ବୁଲୁଛନ୍ତି | ଖରା ଦିନରେ କମ୍ବଳ ଘୋଡ଼ିଥିବା ଲୋକ; ପାଗଳ | ଏମିତି ଅବାଗିଆ ଲୋକମାନଙ୍କୁ ଦେଖିଲେ ଦୁର୍ଷାଳବାବୁଙ୍କର ହାଡ଼ ଜଳେ; ଆଜି କାଲିକା ପିଲାଙ୍କ ଫେସନ -- ନିହାତି ମୂଲ୍ୟହିନ | ଦୁର୍ଷାଳବାବୁ ବିରକ୍ତିରେ ଗାଡ଼ିର ଷ୍ଟିଅରିଂ ହ୍ବିଲ ଉପରେ ତବଲା ବଜେଇଲେ, କିନ୍ତୁ ବିରକ୍ତି ଯାଏ କୁଆଡ଼େ; ବାବୁଙ୍କ ଆଖି ପାଖରେ ଠିଆ ହୋଇଥିବା ଦଳେ ପାଗଳଙ୍କ ଉପରେ ପଡ଼ିଗଲା | ସେମାନେ ଭାରି ଉତ୍ସାହରେ କ'ଣ ସବୁ ଫୁସୁରୁ ଫାସର ହେଉଥାନ୍ତି | ସେମାନଙ୍କ ମଧ୍ୟରୁ ଦୁଇଜଣ ତ ଆଦୌ ପିଲା ବୟସର ନୁହେଁ; ଜଣେ ତ ଦୁର୍ଷାଳବାବୁଙ୍କଠୁ ବି ବୟସ୍କ ହେବ, ଆଉ ସେ ଗୋଟିଏ ଚକମକିଆ ସବୁଜ ଚାଦର ଘୋଡ଼ିଥାଏ -- କି ସାହସ ତା'ର; ବାବୁଙ୍କ ବିରକ୍ତି ଶହେଗୁଣ ବଢି ଗଲା | କିନ୍ତୁ କିଛି କ୍ଷଣ ପରେ ବାବୁଙ୍କର ଖିଆଲ ଆସିଲା କି ଏସବୁ ବୋଧ ହୁଏ କିଛିଗୋଟେ ମୂର୍ଖତାପୂର୍ଣ୍ଣ ଶୋଭାଯାତ୍ରା -- ଏ ଲୋକମାନେ କିଛି ନୂଆ ଉତ୍ସବ ପାଇଁ ଚାନ୍ଦା ଆଦାୟ କରୁଥିବେ; ଆଜିକାଲି ଏମିତି ସଭା ଶୋଭାଯାତ୍ରାର ଅଭାବ କାହିଁ ... ହଁ, ତାହା ହିଁ ହେଇଥିବ | କେତେ ମିନିଟ ପରେ, ଟ୍ରାଫିକ ସୁଧୁରିବା ପରେ, ବାବୁ ଦୋକାନ ସାମ୍ନାରେ ପହଞ୍ଚିଲେ, ମନରେ ପୁଣିଥରେ ଶାବଳ ବିକ୍ରିର ଚିନ୍ତା |
ଦୁର୍ଷାଳବାବୁ ଦୋକାନ ଘରେ ଝରକାକୁ ପିଠିକରି ବସିଲେ ଓ କାମରେ ଲାଗିଗଲେ | ଝରକାକୁ ନ ଦେଖିବାରୁ ବାବୁଙ୍କର କାମରେ ଧ୍ୟାନ ରହିଲା, କାରଣ ସେ ଝରକା ବାହାରେ ଘଟୁଥିବା ଆଶ୍ଚର୍ଯ୍ୟଜନକ ଘଟଣାମାନ ଦେଖିପାରିଲେ ନାହିଁ | ବାହାରେ ଉଜ୍ବଳ ସୂର୍ଯ୍ୟାଲୋକରେ ପେଚା ଉଡ଼ୁଥାନ୍ତି, ରାସ୍ତାରେ କିଛି ଲୋକ ଆକାଶକୁ ଆଁ କରି ଅନେଇ ରହିଥାନ୍ତି, ଆଉ କିଛି ଲୋକ ଆଙ୍ଗୁଳି ଦେଖାଇ ଅନ୍ୟମାନଙ୍କୁ ଉପରେ ପେଚା ଦେଖାଉଥାନ୍ତି | ସେମାନଙ୍କ ମଧ୍ୟରୁ ଅଧିକାଂଶ ଜୀବନରେ କେବେ ପେଚା ଦେଖି ନ ଥିବେ -- ରାତିରେ ବି | ଦୁର୍ଷାଳବାବୁ କିନ୍ତୁ ଏକ ଶାନ୍ତ ସୁନ୍ଦର ଉଲ୍ଲୁକ-ଶୂନ୍ୟ ସକାଳ ବିତାଇଲେ, ପାଞ୍ଚ ଜଣ ଲୋକଙ୍କ ଉପରେ ଚିଲ୍ଲେଇଲେ, କେତେ ଜଣ ଗୁରୁତ୍ବପୂର୍ଣ୍ଣ ଲୋକଙ୍କ ସହ ଫୋନରେ ବାର୍ତ୍ତାଳାପ କଲେ, ଏବଂ ଆଉ କିଛି ଲୋକଙ୍କ ଉପରେ ଆଉ କିଛି ଚିଲ୍ଲେଇଲେ | ମଧ୍ୟାହ୍ନଭୋଜନ ସମୟକୁ ବାବୁ ଭାରି ଖୁସିମନା ଥାନ୍ତି, ଭାବିଲେ କି ଟିକେ ଚଲାବୁଲା କରି ରାସ୍ତା ଆରପଟେ ଥିବା ହୋଟେଲରେ ଖାଇନେବେ |
ଏତେବେଳକୁ ବାବୁ ସକାଳେ ଦେଖିଥିବା କମ୍ବଳ ପରିହିତ ପାଗଳମାନଙ୍କ କଥା ପାଶୋରି ଯାଇଥିଲେ, କିନ୍ତୁ ଏବେ ସେ ହୋଟେଲ ସାମ୍ନାରେ ପୁଣି ଥରେ ସେହି ପାଗଳମାନଙ୍କୁ ଦେଖିଲେ | ସେ ସେମାନଙ୍କୁ ଏକ ବିରକ୍ତିଭରା ଚାହାଣୀ ଦେଇ ଚାଲି ଯାଉଥିଲେ କି, ତା'ଙ୍କ ମନରେ ଏକ ସନ୍ଦେହ ଆସିଲା | ଏ ପାଗଳମାନେ ମଧ୍ୟ କ'ଣ ସବୁ ଫୁସୁରୁଫାସର ହେଉଥାନ୍ତି, କିନ୍ତୁ ଏମାନଙ୍କ ହାତରେ ଗୋଟିଏ ମଧ୍ୟ ଚାନ୍ଦାବାକ୍ସ ନ ଥାଏ | ବାବୁ ହୋଟେଲରୁ ମୁଣିଏ ବରା ଧରି ଫେରୁଥିବା ବେଳେ ତା'ଙ୍କ କାନରେ ପାଗଳମାନଙ୍କ କଥାରୁ କିଛି ଶବ୍ଦ ପଡ଼ିଗଲା -
"ହଁ, ପାତ୍ର ପରିବାର, ସତ କଥା, ମୁଁ ଭି ସେଇଆ ଶୁଣିଲି, ତା'ଙ୍କ ପୁଅ, ହରି |"
ଦୁର୍ଷାଳବାବୁ ଚମକିପଡ଼ି ରହିଗଲେ | ଭୟ ବନ୍ୟା ପରି ମାଡ଼ି ଆସିଲା | ସେ ପଛକୁ ଫେରି ଚାହିଁଲେ ଓ କିଛି କହିବା ପାଇଁ ଚାହିଁଲେ, କିନ୍ତୁ କିଛି କହିଲେ ନାହିଁ |
[ ଏଠାରେ ପଢନ୍ତୁ ଭାଗ - ୨ ]
ମୂଳ ରଚନା - ଜେ. କେ. ରାଓଲିଂ
ଅନୁବାଦ - ଗଣେଶ
