[ ଏଠାରେ ପଢନ୍ତୁ ଭାଗ - ୪ ]
ଗୁରୁ ମାଗୁଣିଲାଲ୍ ଡମ୍ବରୁଧରଙ୍କୁ ତୀବ୍ର ନଜରରେ ଅନେଇ କହିଲେ , " ଆକାଶରେ କେବଳ ଉଲ୍ଲୁକ ନୁହେଁ , ବଡ଼ ବଡ଼ ଗୁଜବ ମଧ୍ୟ ଉଡ଼ୁଛି | ଆପଣ ଶୁଣିଲେଣି ଲୋକମାନେ କ'ଣ କହୁଛନ୍ତି ? କ'ଣ ପାଇଁ ସେ ଗାଏବ ହୋଇଗଲା ? ଶେଷରେ କିଏ ତା' ପାଇଁ କାଳ ହେଲା ? "
ଲାଗୁଥାଏ ଯେଉଁ ବିଷୟରେ ଆଲୋଚନା କରିବା ପାଇଁ ଗୁରୁ ମାଗୁଣିଲାଲ୍ ଦିନ ଯାକ ଏବଂ ଶୀତରାତିରେ ରାତି ଅଧ ଯାଏ ବାଡ଼ ମୂଳରେ ବସି ରହି ଏତେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ , ସେହି ମୂହୁର୍ତ୍ତ ଓ ବିଷୟ ଏବେ ଉପସ୍ଥିତ | ସେ ଡମ୍ବରୁଧରଙ୍କୁ ସେହି ପରି ତୀବ୍ର ନଜରରେ ଅନାଇ ରହିଥାନ୍ତି | ଲୋକମାନେ ଯାହାବି କୁହନ୍ତୁ ପଛେ , ଡମ୍ବରୁଧର ଏ ବିଷୟରେ ସ୍ପଷ୍ଟରୂପେ କିଛି ନ କହିବା ପର୍ଯ୍ୟନ୍ତ ସେ କିଛି ବିଶ୍ବାସ କରିବା ପାଇଁ ପ୍ରସ୍ତୁତ ନଥାନ୍ତି | ମାତ୍ର ଡମ୍ବରୁଧର ଆଉ ଗୋଟିଏ ଲେବନଚୁଷ ଖୋଲିବାରେ ବ୍ୟସ୍ତ ଥାଆନ୍ତି , ତେଣୁ ସେ କିଛି ଉତ୍ତର ଦେଲେ ନାହିଁ |
" ସେମାନେ କହୁଛନ୍ତି ଯେ , " ମାଗୁଣିଲାଲ୍ କହିଚାଲିଲେ , " ଗତକାଲି ମଧ୍ୟ ରାତ୍ରୀରେ ମତ୍ତମୃତ୍ୟୁ ଗଡ଼ରାଜପୁର ଯାଇଥିଲା | ପାତ୍ର ପରିବାରକୁ ଖୋଜି ଖୋଜି | ଗୁଜବ ଏହା କି , ଲିଲି ଆଉ ଯମେଶ୍ବର ପାତ୍ର -- ସେମାନେ -- ସେମାନେ ଆଉ ନାହାନ୍ତି | "
ଡମ୍ବରୁଧର ନୀରବରେ ମୁଣ୍ଡ ନୁଆଁଇଲେ | ମାଗୁଣିଲାଲ୍ ଆଁ କରି ରହିଗଲେ ... ବଡ଼ ବଡ଼ ଆଖିରେ ଅନେଇ ରହିଥାନ୍ତି ଡମ୍ବରୁଧରଙ୍କୁ |
" ଲିଲି ଆଉ ଯମେଶ ... ମୋର ଆଦୌ ବିଶ୍ବାସ ହେଉନି ... ମୁଁ ବିଶ୍ବାସ କରିବାକୁ ଚାହୁଁନି ... ଓ ଆଲିବାବା ... " ହଠାତ୍ ଭାଙ୍ଗି ପଡ଼ିଲେ ଗୁରୁ ମାଗୁଣିଲାଲ୍ |
ଡମ୍ବରୁଧର ତାଙ୍କ କାନ୍ଧରେ ହାତ ପକାଇଲେ ଓ ପିଠି ଥାପୁଡ଼ାଇଲେ ଏବଂ ଗମ୍ଭୀର ସ୍ବରରେ କହିଲେ , " ମୁଁ ବୁଝିପାରୁଛି ... ମୁଁ ବୁଝିପାରୁଛି ... | "
ମାଗୁଣିଲାଲ୍ ବିଷାଦଗ୍ରସ୍ତ କଣ୍ଠରେ କହିଚାଲିଲେ , " ଖାଲି ସେତିକି ନୁହେଁ , ସେମାନେ କହୁଛନ୍ତି କି ସିଏ ପାତ୍ରଙ୍କ କୁନି ପୁଅ ହରିକୁ ମାରିବା ପାଇଁ ଚେଷ୍ଟା କଲା -- କିନ୍ତୁ ପାରିଲା ନାହିଁ | ସେ ଗୋଟେ ଛୋଟ ପିଲାକୁ ହତ୍ୟା କରିବାରେ ବିଫଳ ହେଲା | କେହି ବି ଜାଣିପାରୁ ନାହନ୍ତି କାହିଁକି ଅଥବା କିପରି , କିନ୍ତୁ ସେମାନେ କହୁଛନ୍ତି ଯେ ଯେତେବେଳେ ସେ ହରି ପାତ୍ରକୁ ହତ୍ୟା କରିବାରେ ବିଫଳ ହେଲା , ମତ୍ତମୃତ୍ୟୁର ଶକ୍ତି କୁଆଡ଼େ ଉଭେଇଗଲା -- ଏବଂ ସେଇଥି ପାଇଁ ସିଏ ଏବେ ଗାଏବ ହେଇଯାଇଛି | "
ଡମ୍ବରୁଧର ଦୁଃଖରେ ମୁଣ୍ଡ ଟୁଙ୍ଗାରିଲେ |
" ଏଇଟା କ'ଣ -- ଏଇଟା କ'ଣ ସତ ? " ଗୁରୁ ମାଗୁଣିଲାଲଙ୍କ କଣ୍ଠ ଥରି ଉଠିଲା , " ଏତେ ଗୁଡ଼ାଏ ଜଘନ୍ୟ କାଣ୍ଡ ପରେ , ଏତେ ଲୋକଙ୍କୁ ହତ୍ୟା କରିବା ପରେ ... ସେ ଗୋଟେ ଛୋଟ ପିଲାକୁ ହତ୍ୟା କରି ପାରିଲା ନାହିଁ ? ଅତି ଅଦ୍ଭୁତ ... ଏତେ ସବୁ ଜିନିଷ ଭିତରୁ ଛୋଟ ପିଲାଟିଏ ତା ପାଇଁ କାଳ ହେଲା ... ହେ ଭଗବାନ ... କିନ୍ତୁ ହରି ବଞ୍ଚିଲା କେମିତି ? "
" ଆମେ ଯାହା ଖାଲି ଅନୁମାନ କରିପାରିବା ", କହିଲେ ଡମ୍ବରୁଧର , " ପ୍ରକୃତ ଘଟଣା ଆମେ ଜାଣି ପାରିବା ନାହିଁ |"
ଗୁରୁ ମାଗୁଣିଲାଲ୍ ଗୋଟେ ରୁମାଲରେ ଚଷମା ପଛରୁ ଆଖି ପୋଛିଲେ | ଡମ୍ବରୁଧର ଏକ ଦୀର୍ଘ ନିଃଶ୍ବାସ ପକାଇ ପକେଟରୁ ସୁନେଲି ଘଣ୍ଟାଟିଏ କାଢି ଦେଖିଲେ |
ବଡ଼ ଅଜବ ଘଣ୍ଟାଟିଏ | ଏଥିରେ ବାରଟି କଣ୍ଟା ଥାଏ , କିନ୍ତୁ କୌଣସି ସଂଖ୍ୟା ଲେଖା ହେଇ ନଥାଏ | ସଂଖ୍ୟା ପରିବର୍ତ୍ତେ ଗୁଡ଼ିଏ ଛୋଟ ଛୋଟ ଗ୍ରହ ନକ୍ଷତ୍ର ଘଣ୍ଟାର ଧାର ଚାରିପଟେ ବୁଲୁ ଥାଆନ୍ତି | ଯଦିଓ ଏପରି ଘଣ୍ଟାର ଚଳନ ବିଧି ଆମମାନଙ୍କ ଜ୍ଞାନର ପରିଧି ବହିର୍ଭୁତ , ତାହା ଡମ୍ବରୁଧରଙ୍କୁ ବୋଧଗମ୍ୟ ହୋଇଥିବ , କାରଣ କିଛି କ୍ଷଣ ପରେ ସେ ଘଣ୍ଟାଟିକୁ ପୁଣି ଥରେ ପକେଟରେ ରଖି କହିଲେ , " ଗଦାଧର ବିଳମ୍ବ କଲାଣି | ମୁଁ ମନେ କରେ କି ସେ ଆପଣଙ୍କୁ କହିଲା ଯେ ମୁଁ ଏଠାକୁ ଆସିବି ? "
"ହଁ " , ଗୁରୁ ମାଗୁଣିଲାଲ୍ କହିଲେ , " ଆଉ ମୁଁ ମନେ କରେ , ଆପଣ କ'ଣ ପାଇଁ ସବୁ ସ୍ଥାନ ଭିତରୁ ଏଠାକୁ ଆସିବା ପାଇଁ ବିଚାର କଲେ , ସେ କଥା ମୋତେ କହିବେ ନାହିଁ ?"
" ମୁଁ ହରିକୁ ତା'ର ମଉସା - ମାଉସୀଙ୍କ ଘରେ ଛାଡ଼ିବା ପାଇଁ ଆସିଛି | ସେମାନେ ହିଁ ତା'ର ଏକମାତ୍ର ଜୀବିତ ଆତ୍ମୀୟ | "
" ଆପଣ କହୁ ନାହନ୍ତି କି -- ଆପଣ କହୁ ନାହାନ୍ତି କି ଏଇ ଘରେ ରହୁଥିବା ପରିବାର ? " ଗୁରୁ ମାଗୁଣିଲାଲ୍ ଚାରି ନମ୍ବର ଘର ଦିଗରେ ଆଙ୍ଗୁଳି ନିର୍ଦ୍ଦେଶ କରି କହିଲେ |
" ଡମ୍ବରୁଧର -- ଆପଣ ଏମିତି କରି ପାରିବେନି | ମୁଁ ଦିନ ସାରା ସେମାନଙ୍କ ଉପରେ ନଜର ରଖିଛି | ଆମମାନଙ୍କ ଠାରୁ ଭିନ୍ନ ଦୁଇଜଣ ମନୁଷ୍ୟ , ଆପଣ ଦୁନିଆଯାକ ଖୋଜିଲେ ପାଇବେ ନାହିଁ , ସମ୍ପୂର୍ଣ୍ଣ ବିପରୀତ | ଆଉ ତାଙ୍କର ଏଇ ଗୋଟେ ପୁଅ ଅଛି -- ସିଏ ଆଜି ତା ମା'କୁ ଲାତ ମାରି ମାରି ରାସ୍ତା ଯାଏ ନେଇ ଆସିଲା , ମିଠେଇ ପାଇଁ କାନ୍ଦି କାନ୍ଦି | ହରି ପାତ୍ର ଆସି ଏଇମାନଙ୍କ ସାଙ୍ଗରେ ରହିବ ! "
" ଏହା ହିଁ ତା ପାଇଁ ସର୍ବଶ୍ରେଷ୍ଠ ସ୍ଥାନ | " ଡମ୍ବରୁଧର ଦୃଢ ସ୍ବରରେ କହିଲେ , " ତା'ର ବୟସ ହେଲେ ତା ମାଉସୀ ଓ ମଉସା ତା'କୁ ସବୁ କଥା ବୁଝାଇ କହିବେ | ମୁଁ ସେମାନଙ୍କ ପାଇଁ ଗୋଟେ ଚିଠି ଲେଖି ରଖିଛି | "
" ଗୋଟେ ଚିଠି ? " ଦୁର୍ବଳ ସ୍ବରରେ ପୁନରାବୃତ୍ତି କଲେ ଗୁରୁ ମାଗୁଣିଲାଲ୍ ରାସ୍ତା ପାର୍ଶ୍ବରେ ବସି ପଡ଼ି , " ସତରେ , ଡମ୍ବରୁଧର , ଆପଣ ଭାବୁଛନ୍ତି ଯେ ଆପଣ ଏସବୁ କଥା ଗୋଟେ ଚିଠିରେ ବର୍ଣ୍ଣନା କରି ପାରିବେ ? ଏ ଲୋକମାନେ ତାକୁ କଦାପି ବୁଝି ପାରିବେ ନାହିଁ | ସେ ବିଖ୍ୟାତ ହେବ -- ଏକ କିମ୍ବଦନ୍ତୀ -- ଭବିଷ୍ୟତରେ ଲୋକମାନେ ଆଜିର ଦିନକୁ 'ହରି ପାତ୍ର ଦିବସ' ନାମରେ ପାଳନ କଲେ ମୁଁ ବିସ୍ମିତ ହେବି ନାହିଁ | ତା ନାମରେ ବହି ଲେଖା ଯିବ , ଡମ୍ବରୁଧର , ଆମ ଦୁନିଆର ସବୁ ପିଲା ତା'ର ନାଁ ଜାଣିବେ !"
" ଠିକ୍ ସେଇଥି ପାଇଁ " କହିଲେ ଡମ୍ବରୁଧର , ଅର୍ଧଚନ୍ଦ୍ର ଚଷମା ପଛରୁ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଦୃଷ୍ଟିରେ ଅନାଇ | " ଏସବୁ ପ୍ରସିଦ୍ଧି କୌଣସି ବି ଛୋଟ ପିଲାର ମୁଣ୍ଡ ଖରାପ କରିଦେବା ପାଇଁ ଯଥେଷ୍ଟ | କଥା କହିବା ପୂର୍ବରୁ , ଚାଲି ଶିଖିବା ପୂର୍ବରୁ ବିଖ୍ୟାତ | କ'ଣ ପାଇଁ ବିଖ୍ୟାତ ତା'ର ନିଜର ସ୍ମରଣ ରହିବ ନାହିଁ ! ଆପଣ ବୁଝିପାରୁଥିବେ ଏସବୁ ଠାରୁ ଦୂରରେ ରହି ବଡ଼ ହେବା ତା ପାଇଁ କେତେ ଭଲ ? ତା'ର ବୁଝିବା ବୟସ ହେବା ଯାଏଁ ସେ ଏସବୁ ଠାରୁ ଦୂରରେ ହିଁ ରହୁ | "
ଗୁରୁ ମାଗୁଣିଲାଲ୍ ମୁହଁ ଖୋଲିଲେ , କିନ୍ତୁ କିଛି କହିଲେ ନାହିଁ | ଛେପ ଢୋକି ମନ ପରିବର୍ତ୍ତନ କଲେ , କିଛି କ୍ଷଣ ପରେ କହିଲେ , " ହଁ -- ହଁ -- ଆପଣଙ୍କ କଥା ଠିକ୍ , ସତରେ | କିନ୍ତୁ ପିଲାଟି ଏଠାକୁ କେମିତି ଆସୁଛି , ଡମ୍ବରୁଧର ? " ସେ ଡମ୍ବରୁଧରଙ୍କ ଚାଦର ଆଡ଼େ ଦେଖିଲେ , ଯେମିତି କି ଡମ୍ବରୁଧର ହରିକୁ ଚାଦର ଭିତରେ କୋଉଠି ଲୁଚାଇ ରଖିଛନ୍ତି |
" ଗଦାଧର ତା'କୁ ନେଇକି ଆସୁଛି | "
" ଆପଣ ଭାବୁଛନ୍ତି କି ଏଇଟା -- ବିଜ୍ଞ ବିଚାର ? ଗଦାଧରକୁ ଏମିତି ଏକ ଗୁରୁତ୍ବପୂର୍ଣ୍ଣ କାମରେ ଭରସା କରିବା ? "
" ମୁଁ ଗଦାଧର ଭରସାରେ ମୋ ଜୀବନ ବି ଦେଇ ପାରିବି | " ଡମ୍ବରୁଧର କହିଲେ |
" ମୁଁ କହୁନି କି ତା'ର ଅନ୍ତର ସଫା ନୁହେଁ ," ମାଗୁଣିଲାଲ୍ ଅନିଛ୍ଛୁକ ସ୍ବରରେ କହିଲେ , " କିନ୍ତୁ ଆପଣ ଏକଥା ଭାବନ୍ତୁ ନାହିଁ କି ସେ ଅସାବଧାନ ନୁହେଁ | ସେ ବେଳେ ବେଳେ -- ଏବେ ଏଇଟା ପୁଣି କ'ଣ ? "
ଏକ କ୍ଷୀଣ ଗୁଞ୍ଜରଣ ଚତୁର୍ପାର୍ଶ୍ବର ନୀରବତାକୁ ଭଙ୍ଗ କରୁଥାଏ | ଧିରେ ଧିରେ ସେହି ଗୁଞ୍ଜରଣ ଏକ ତୀବ୍ର ଘଡ଼ଘଡ଼ିର ରୂପ ନେଲା | ସେମାନେ ରାସ୍ତାର ଉପର ତଳ ଦେଖୁଥାନ୍ତି କୌଣସି ଗାଡ଼ିର ଆଲୋକ ସନ୍ଧାନରେ | ଘଡ଼ଘଡ଼ି ଶବ୍ଦଟି ଏକ ଜୋରଦାର ଗର୍ଜନରେ ପରିଣତ ହେଲା , ସେମାନେ ଉପରକୁ ଅନାଇ ଆକାଶକୁ ଦେଖିଲେ -- ଏବଂ ଏକ ବିଶାଳକାୟ ମୋଟରସାଇକେଲ ଆକାଶରୁ ଖସି ଠିକ୍ ସେମାନଙ୍କ ଆଗରେ ରାସ୍ତା ଉପରେ ଅବତରଣ କଲା |
[ ଏଠାରେ ପଢନ୍ତୁ ଭାଗ - ୬ ]
ମୂଳ ରଚନା - ଜେ. କେ. ରାଓଲିଂ
ଅନୁବାଦ - ଗଣେଶ