ରାଜା ବିକ୍ରମାର୍କ ପୁନର୍ବାର ଶ୍ମଶାନସ୍ଥିତ ବୃକ୍ଷଟି ପାଖକୁ ଲେଉଟି ଆସିଲେ | ସେହି ନିର୍ଜନ ବର୍ଷାମୁଖର ରାତିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଏବଂ ଘନ ଘନ ବଜ୍ରପାତ ପ୍ରତି ଭୃକ୍ଷେପ ନ କରି ସେ ପୁଣି ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣି କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା , "ରାଜା ! ରାଜନୀତି ସମ୍ପର୍କରେ ତୁମର ଧରଣା ଯଥେଷ୍ଟ ପାକଳ ହୋଇଥିବା ସ୍ବାଭାବିକ | କିନ୍ତୁ ଥରେ ଥରେ ଜଣେ ଜଣେ ରାଜାଙ୍କ ବ୍ୟବହାର ବଡ଼ ରହସ୍ୟମୟ ମନେ ହୁଏ | ରାଜା ଶୁଭେନ୍ଦ୍ର କଥା ଧର | କହୁଛି ସେ କଥା, ଶୁଣ | ଶୁଣିଲେ ଶ୍ରମଭାର ଲାଘବ ମନେ ହେବ |"ବେତାଳ ଗପିଲା -- ଶୁଭେନ୍ଦ୍ର ଜଣେ ରାଜ ବଂଶୀୟ ଯୁବକ | ସେ ପ୍ରତାପଶାଳୀ ହୋଇ ସୋମପୁରର ରାଜା ରାଜଶେଖରଙ୍କ ବିରୁଦ୍ଧରେ ବିଦ୍ରୋହ କରି ତାଙ୍କୁ ହରାଇଦେଲେ | ରାଜା ଯୁଦ୍ଧକ୍ଷେତ୍ରରେ ପ୍ରାଣ ଦେଲେ | ରାଣୀ ରାଜାଙ୍କ ମୃତ୍ୟୁ ଖବର ପାଇ ଚେତା ହରାଇଲେ | ଚେତା ଆଉ ଫେରିଲା ନାହିଁ | ରାଜ ଦମ୍ପତ୍ତିଙ୍କର ଗୋଟିଏ ବୋଲି ଶିଶୁସନ୍ତାନ ଥିଲା | ଶୁଭେନ୍ଦ୍ର ରାଜା ହୋଇ ସେ ଶିଶୁକୁ ନିଜ ପୁଅ ଭଳି ପାଳିଲେ | ତା'ର ନାମ ଦେଲେ ବିଜୟ |
ସେତେବେଳେ ଶୁଭେନ୍ଦ୍ରଙ୍କର ନିଜର ସନ୍ତାନ-ସନ୍ତତି ନ ଥିଲେ | କିନ୍ତୁ ପରେ ପରେ ତାଙ୍କର ଗୋଟିଏ କନ୍ୟା ସନ୍ତାନ ଜାତ ହେଲା | ଲୋକେ ଭାବିଲେ ତେଣିକି ରାଜା ବିଜୟ ପ୍ରତି ତାଛ୍ଛଲ୍ୟ ଭାବ ଦେଖାଇବେ | କିନ୍ତୁ ତାହା ହେଲା ନାହିଁ | ରାଜ ଶୁଭେନ୍ଦ୍ରଙ୍କର ବିଜୟ ପ୍ରତି ମନୋଭାବରେ କୌଣସି ପରିବର୍ତ୍ତନ ହେଲା ନାହିଁ | ସେ ନିଜ କନ୍ୟା ଓ ବିଜୟକୁ ଏକା ଆଖିରେ ଦେଖୁଥାନ୍ତି |
କ୍ରମେ ଦୁଇ ଶିଶୁ ବଡ଼ ହେଲେ | ରାଜ କନ୍ୟାଙ୍କର ବିବାହ ବୟସ ହେବାରୁ ରାଜା ତାଙ୍କ ସ୍ବୟମ୍ବରର ଘୋଷଣା କଲେ କି ଯିଏ ତାଙ୍କ ଜାମାତା ହେବ ସେ ରାଜ୍ୟରୁ ଅଧା ପାଇବ |
ଏ ଘୋଷଣାରେ ବିଜୟ ମନରେ କୌଣସି ମନ୍ଦ ପ୍ରତିକ୍ରିୟା ହେଲା ନାହିଁ | କିନ୍ତୁ ସେତେବେଳେ ନୂଆ କରି ସେନାପତି ବନିଥିବା ଭୂପତି ବିଜୟକୁ ଡାକି ଏକାନ୍ତରେ କହିଲା, " ବନ୍ଧୁ ! ତୁମର ଦୁର୍ଭାଗ୍ୟ ଦେଖି ମୋତେ ବହୁତ ଦୁଃଖ ଲାଗୁଛି |" ବିଜୟ ପଚାରିଲେ, "ମୋର ଦୁର୍ଭାଗ୍ୟ ବୋଇଲେ ?" ଭୂପତି ଉତ୍ତର ଦେଲା, " ଦୁର୍ଭାଗ୍ୟ ନୁହେଁ ? ମୁଁ ଭାବିଥିଲି ରାଜା ତୁମ ପାଇଁ ପୂରା ରାଜ୍ୟ ରଖିଛନ୍ତି | ଯେତେ ହେଲେ ଏ ରାଜ୍ୟ ତୁମ ପିତାଙ୍କର ଥିଲା | ଆଜି ଅଧା ରାଜ୍ୟ ସେ ଜାମାତାଙ୍କୁ ଦେବାକୁ ସ୍ଥିର କଲେ | କାଲି ହୁଏତ ବାକି ଅଧକ ବି ଆଉ କାହାକୁ ଦେଇ ଦେବେ | ତୁମେ ବଲବଲ ଅନାଇଥିବ |"
"ମୋର କର୍ତ୍ତବ୍ୟ ତେବେ କ'ଣ ?" ବିଜୟ ପଚାରିଲେ | କଣ୍ଠସ୍ବର ନିମ୍ନ କରି ଭୂପତି ତାଙ୍କୁ କହିଲେ, "ଟିକିଏ ସାହସ ସଞ୍ଚୟ କରି କାମ କଲେ ପୂରା ରାଜ୍ୟ ତୁମର ହୋଇଯିବ | ମୁଁ ତୁମକୁ ସବୁମନ୍ତେ ସାହାଯ୍ୟ କରିବାକୁ ପ୍ରସ୍ତୁତ |" ତା' ପରେ ସେନାପତି ଭୂପତି ନିଜ ଯୋଜନା ଉପସ୍ଥାପିତ କଲେ |
ବିଜୟ ଟିକେ ଚିନ୍ତା କରି କହିଲେ, "କିନ୍ତୁ ଆମ ଷଡ଼ଯନ୍ତ୍ର ଯଦି ଜଣା ପଡ଼ିଯାଏ ?" ଭୂପତି ଉତ୍ତର ଦେଲେ, "ତେବେ ଆମେ ପଡ଼ୋଶୀ ରାଜ୍ୟ ଗୋପାଳପୁରକୁ ପଳାଇଯିବୁ | ସେ ରାଜ୍ୟର ରାଜା ମଣିସିଂହ ରାଜା ଶୁଭେନ୍ଦ୍ରଙ୍କର ଘୋର ଶତ୍ରୁ | ତାଙ୍କ ସହାୟତାରେ ଆମେ ଶୁଭେନ୍ଦ୍ରଙ୍କୁ ଜବଦ କରିବା |"
"ଏହା ବେଶ୍ ଯୁକ୍ତିଯୁକ୍ତ ପ୍ରସ୍ତାବ | ନଅର ଭିତରୁ ଗୋଟିଏ ଗୋପନ ସୁଡ଼ଙ୍ଗ ପଥ ବଣ ଭିତର ଯାଏ ଯାଇଛି | ଆମେ ସେହି ପଥରେ ପଳାଇଯିବା |" ବିଜୟ ପ୍ରସ୍ତାବ ଦେଲେ | ଭୂପତି ଖୁସୀ ହୋଇ କହିଲେ, "ସାବାସ୍ !"
ସନ୍ଧ୍ୟାବେଳେ ରାଜା ଉଦ୍ୟନରେ ପଦଚାରଣା କରୁଥିଲେ | ହଠାତ୍ ଗୋଟିଏ କପୋତ ଆସି ତାଙ୍କ କାନ୍ଧରେ ବସିଗଲା | ତାହା ନଅରର ପାଳିତ କପୋତ | ତା' ଗୋଡ଼ରେ ଛୋଟ ଚିଠିଟିଏ ବନ୍ଧା ହୋଇଥିଲା | ରାଜା ତାକୁ ଖୋଲି ପଢିଲେ, "ସାବଧାନ | ଆଜି ରାତି ବିପଜ୍ଜନକ |"
ରାଜା ତତ୍କ୍ଷଣାତ୍ ଅନ୍ତଃପୁର ଯାଇ ନିଜ ଦେହରକ୍ଷୀମାନଙ୍କୁ ସତର୍କ କରିଦେଲେ | କହିବା ବାହୁଲ୍ୟ, ନିଜେ ନିଦର ଛଳନା କରି ସେ ବିଛଣାରେ ପଡ଼ି ରହିଲେ | ମଝିରାତି ବେଳକୁ ଲୁଚିରହିଥିବା ଘାତକ ନିଜ କାମ କରିବା ସକାଶେ ଉଦ୍ୟତ ହୋଇ ଧରା ପଡ଼ିଲା | ଧମକ ଖାଇ ସେ କହିଲା ଯେ ତାକୁ ନିଯୁକ୍ତ କରିଥିଲେ ସେନାପତି ଭୂପତି ତଥା ରାଜାଙ୍କ ପୋଷ୍ୟପୁତ୍ର ବିଜୟ |
ଭୂପତି ଓ ବିଜୟକୁ ଖୋଜା ହେଲା | କିନ୍ତୁ ସେ ଦୁହେଁ ମିଳିଲେ ନାହିଁ | ସେତେବେଳକୁ ସୁଡ଼ଙ୍ଗପଥରେ ଦୁହେଁ ପଳାଇଥିଲେ |
ସୁଡ଼ଙ୍ଗପଥ ଯାଇ ବଣ ଭିତରେ ଗୋଟିଏ ମନ୍ଦିର ଭିତରେ ଶେଷ ହୋଇଥିଲା | ସେଠାରେ ବାହାରି ଦୁହେଁ ଗୋପାଳପୁର ପଳାଇଲେ | ରାଜା ମଣିସିଂହ ସହ ଭୂପତିଙ୍କର ପୂର୍ବରୁ ଯୋଗସୂତ୍ର ଥିଲା | କିନ୍ତୁ ସେଠାରେ ପହଞ୍ଚି ଭୂପତି ମଣିସିଂହଙ୍କୁ ପରାମର୍ଶ ଦେଲେ ଯେ ବିଜୟଙ୍କୁ କାରାରୁଦ୍ଧ କରାଯାଉ | କାରଣ ତାଙ୍କ ଦ୍ବାରା ଆଉ କୌଣସି ଲାଭର ଆଶା ନ ଥିଲା |
ଏହା ପରେ ଭୂପତି ଏବଂ ମଣିସିଂହ ଷଡ଼ଯନ୍ତ୍ର କରି ପଚାଶଜଣ ଦକ୍ଷ ସୈନିକ ସହ ଭୂପତି ସୁଡ଼ଙ୍ଗପଥରେ ଶୁଭେନ୍ଦ୍ରଙ୍କ ପ୍ରାସାଦ ଭିତରକୁ ଚାଲିଲେ | ପ୍ରକାଶ୍ୟ ଯୁଦ୍ଧ ନ କରି ହଠାତ୍ ଅନ୍ତଃପୁରରେ ପହଞ୍ଚି ରାଜାଙ୍କୁ ବଧ କରି ବିଭ୍ରାଟ ସୃଷ୍ଟି କରିବା ଥିଲା ସେମାନଙ୍କର ଉଦ୍ଦେଶ୍ୟ |
କିନ୍ତୁ ଥରେ ସୁଡ଼ଙ୍ଗରେ ପ୍ରବେଶ କରିବା ପରେ ସେମାନେ ଆଉ ବାହାରି ପାରିଲେ ନାହିଁ | ସୁଡ଼ଙ୍ଗର ଦୁଇ ମୁହଁ ବନ୍ଦ କରିଦେଲେ ରାଜା ଶୁଭେନ୍ଦ୍ର |
କିନ୍ତୁ ଆଶ୍ଚର୍ଯ୍ୟର କଥା, ରାଜା ଶୁଭେନ୍ଦ୍ର ଯେ ବିଜୟକୁ କେବଳ ମାତ୍ର ଗୋପାଳପୁରର ରାଜା କଲେ, ତାହା ନୁହେଁ, ନିଜ ଜାମାତାକୁ ଅଧା ରାଜ୍ୟ ଦେଇସାରି ସୋମପୁରର ବାକି ଅର୍ଦ୍ଧେକ ମଧ୍ୟ ସେ ବିଜୟକୁ ଦେଇଦେଲେ |
ବେତାଳ ଟିକିଏ ରହି ତା'ପରେ ପ୍ରଶ୍ନ କଲା -- " ରାଜା ଶୁଭେନ୍ଦ୍ରଙ୍କର ଏହା କିପରି ବିଚାର ? ଜଣେ ବିଦ୍ରୋହୀ ଭୂପତିକୁ ପ୍ରାଣଦଣ୍ଡ ଦେବା ସ୍ଥଳେ ଅନ୍ୟଜଣକୁ କିପରି ଦୁଇଥର ପୁରସ୍କୃତ କଲେ ? ଏହା ବାତ୍ସଲ୍ୟଭାବର ପରିଚୟ ନା ବୋକାମି ? ରାଜା ! ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ | ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ବେ ଯଦି ନୀରବ ରହିବ, ତେବେ ତୁମ ଶିର ହେବ ସ୍କନ୍ଧଚ୍ୟୁତ |"
ରାଜା ବିକ୍ରମ ମୁହୂର୍ତ୍ତ ମାତ୍ର ବିଳମ୍ବ ନ କରି କହିଲେ, " ରାଜା ଶୁଭେନ୍ଦ୍ର ବିଜୟ ପ୍ରତି ଯାହା କରିଛନ୍ତି, ତାହା ଜଣେ ବିବେକବାନର କାମ | ଏଥିରେ ସନ୍ଦେହ ନାହିଁ ଯେ ବିଜୟ ଯୋଗୁହିଁ ତାଙ୍କର ପ୍ରାଣରକ୍ଷା ହେଲା | ଷଡ଼ଯନ୍ତ୍ର କଥା ବିଜୟ ଓ ଭୂପତି ଭିତରେ ଆବଦ୍ଧ ଥିଲା | ଅତଏବ ବିଜୟ ଛଡ଼ା ଆଉ କିଏ କପୋତ ଦ୍ବାରା ବାର୍ତ୍ତା ପଠାଇପାରିଥାନ୍ତା ? ବିଜୟ ରାଜାକୁ ମାରିବାକୁ ଚାହିଁଥିଲେ ଭୂପତିର ସାହାଯ୍ୟ ବିନା ହିଁ ତାହା କରିପାରିଥାନ୍ତେ | ପୁଣି ବିଜୟ ଭୁପତିକୁ ସୁଡ଼ଙ୍ଗମାର୍ଗର ସନ୍ଧାନ ଦେବା ପଛରେ ତାକୁ କାବୁ କରିବାର ଉଦ୍ଦେଶ୍ୟ ହିଁ ଥିଲା | ରାଜା ସୋମପୁର ରାଜ୍ୟର ଅଧେ ବିଜୟକୁ ଦେବାର କାରଣ, ବିଜୟଙ୍କୁ ସେ ପୁଅ ପରି ଦେଖୁଥିଲେ | ନିଜ ଝିଅ ଏବଂ ବିଜୟ ଉଭୟଙ୍କୁ ସେ ଉତ୍ତରାଧିକାରୀ କଲେ | ଗୋପାଳପୁର ସିଂହାସନରେ ତାକୁ ବସାଇବାର କାରଣ ତା' ଯୋଗୁ ନିଜ ପ୍ରାଣ ଓ ରାଜ୍ୟ ରକ୍ଷା ହେଲା |"
ରାଜାଙ୍କ ମୌନଭଙ୍ଗ ହେବା ମତ୍ରେ ଶବ ସହ ବେତାଳ ଖସିଯାଇ ପୁଣି ବୃକ୍ଷଡାଳରେ ଝୁଲି ପଡ଼ିଲା |
(କଳ୍ପିତ)



