[ ଏଠାରେ ପଢନ୍ତୁ ଭାଗ - ୫ ]
ଯଦିଓ ମୋଟରସାଇକେଲଟି ବିଶାଳକାୟ ଥିଲା , ଏହା ଉପରେ ବସିଥିବା ଲୋକ ତୁଳନାରେ ଏହା କିଛି ବି ନ ଥିଲା | ଲୋକଟି ଜଣେ ସାଧାରଣ ମନୁଷ୍ୟ ଠାରୁ ଦୁଇଗୁଣ ଡେଙ୍ଗା ଏବଂ ପାଞ୍ଚଗୁଣ ମୋଟା | ଦେଖିବାକୁ ଗଲେ , ତାଙ୍କ ପରି ବିଶାଳକାୟ ଓ ବର୍ବର ମନୁଷ୍ୟ ଆଉ କେହି ନଥିବେ -- ସେ ଜଟାଜୁଟଧାରୀ , ମୁଖର ଅଧିକାଂଶ ଭାଗ ଘନକୃଷ୍ଣ କେଶ ଓ ଶ୍ମଶ୍ରୁରେ ଆଚ୍ଛାଦିତ ହୋଇ ରହିଥାଏ | ହାତ ପାପୁଲି ଯୋଡ଼ିକ ଭାତଖିଆ ଥାଳି ପରି ବଡ଼ ବଡ଼ , ଏବଂ ପାଦର ଚମଡ଼ା ଜୋତା ଛୋଟ ଛୋଟ ଡଲଫିନ ପରି | ତାଙ୍କର ବିରାଟ ଓ ଶକ୍ତିଶାଳୀ ହାତରେ ସେ ଗୋଟିଏ କମ୍ବଳ ପୁଟୁଳି ଧରିଥାନ୍ତି |
" ଗଦାଧର ," ଡମ୍ବରୁଧର ଶାନ୍ତିରେ ଏକ ନିଃଶ୍ବାସ ନେଲେ ଓ କହିଲେ , " ଶେଷରେ | ଆଉ ତୁମକୁ ଏ ମୋଟରସାଇକେଲ କେଉଁଠୁ ମିଳିଲା ? "
" ଉଧାର ଆଣିଲି , ଗୁରୁ ଡମ୍ବରୁଧର , ମହାଶୟ " , ମୋଟରସାଇକେଲରୁ ଅବରୋହଣ କରି ସେହି ଦାନବାକାର ଲୋକ ଜଣକ କହିଲେ , " ଶିରିଆ , ମାନେ ଶ୍ରୀହର୍ଷ କାଳିଆ , ମୋତେ ଏଇଟା ଉଧାର ଦେଲା | ମୁଁ ତାକୁ ନେଇ ଆସିଛି , ଗୁରୁବର | "
" କିଛି ଅସୁବିଧା ହୋଇ ନାହିଁ ତ ? "
" ନାଁ ମହାଶୟ -- ଘରଟି ସମ୍ପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଛି , କିନ୍ତୁ ମୁଁ ତା'କୁ ସେହି ଧ୍ବଂସ ସ୍ତୁପ ମଧ୍ୟରୁ ଭଲରେ ଭଲରେ ନେଇ ଆସିଲି ମୁଗଲମାନେ ଆସି ଭିଡ଼ ଜମାଇବା ପୂର୍ବରୁ | ଆମେ ବାଲେଶ୍ବର ଉପରେ ଉଡ଼ି ଆସୁଥିବା ବେଳେ ସିଏ ଶୋଇ ପଡ଼ିଲା | "
ଡମ୍ବରୁଧର ଓ ଗୁରୁ ମାଗୁଣିଲାଲ୍ କମ୍ବଳ ପୁଟୁଳିଟି ଉପରେ ଝୁଙ୍କି ପଡ଼ିଲେ | ଭିତରେ କୁନି ବାଳକଟିଏ ଗଭୀର ନିଦରେ ଶୋଇ ରହିଥାଏ | ମୁଣ୍ଡରେ ଗୋଛାଏ ଅଙ୍ଗାର ପରି କଳା କେଶ , ତା ତଳେ କପାଳରେ ଏକ ଅଦ୍ଭୁତ ଆକାରର କ୍ଷତ ଚିହ୍ନ -- ଠିକ୍ ଏକ ବଜ୍ରପାତ ପରି |
" ଏଇଟା କ'ଣ ସେଇ ଜାଗା -- ? " ମାଗୁଣିଲାଲ୍ ପଚାରିଲେ |
" ହଁ " , କହିଲେ ଡମ୍ବରୁଧର , " ତା କପାଳରେ ଏହି କ୍ଷତଚିହ୍ନ ସବୁଦିନ ପାଇଁ ରହିବ | "
" ଆପଣ ଏ ବିଷୟରେ କିଛି କରି ପାରିବେ ନାହିଁ , ଡମ୍ବରୁଧର ? "
"ମୁଁ କରି ପାରିଲେ ବି କିଛି କରିବି ନାହିଁ | କ୍ଷତଚିହ୍ନ କେବେ କେବେ କାମରେ ଆସିପାରେ | ଯେମିତିକି ମୋର ବାମ ଆଣ୍ଠୁ ଉପରେ ଏକ ଚିହ୍ନ ଅଛି ଯାହାକି କଟକ ରେଳ ଷ୍ଟେସନର ଏକ ଅବିକଳ ମାନଚିତ୍ର | ହଉ -- ଗଦାଧର , ତା'କୁ ମୋ ହାତକୁ ଦିଅ -- ଏ କାମଟି ଶୀଘ୍ର ଶେଷ କରିବାରେ ହିଁ ମଙ୍ଗଳ |"
ଡମ୍ବରୁଧର ହରିକୁ ହାତରେ ନେଲେ ଓ ଦୁର୍ଷାଳବାବୁଙ୍କ ଘର ଆଡ଼େ ମୁହାଁଇଲେ |
" ମୁଁ ତାକୁ -- ମୁଁ ତାକୁ ବିଦାୟ କହିପାରିବି କି ଗୁରୁ ?" ପଚାରିଲା ଗଦାଧର | ସେ ନିଜର ବିଶାଳ ଜଟାଧାରୀ ମୁଣ୍ଡ ନୁଆଁଇ ହରିକୁ ଥରଟିଏ ଗେଲ କଲା ଓ ହଠାତ୍ ଏକ କ୍ଷତାକ୍ତ ପଶୁ ପରି ଚିତ୍କାର କରି କାନ୍ଦିବାରେ ଲାଗିଲା |
"ତୁନି ହୁଅ ... ତୁନି ହୁଅ -- ମୁଗଲମାନେ ଉଠି ପଡ଼ିବେ ଯେ ..." ଆଶଙ୍କାରେ କହି ଉଠିଲେ ଗୁରୁ ମାଗୁଣିଲାଲ୍ |
"କ୍ଷ -- କ୍ଷମା କରନ୍ତୁ " କାନ୍ଦ କାନ୍ଦ ସ୍ବରରେ କହିଲା ଗଦାଧର , ପକେଟରୁ ଏକ ବଡ଼ ରୁମାଲ କାଢି ମୁହଁ ପୋଛିଲା | " ମୁଁ ଏସବୁ ସହି ପାରିବିନି -- ସହି ପାରିବିନି -- ଲିଲି ଆଉ ଯମେଶ ମୃତ -- ହରି ମୁଗଲମାନଙ୍କ ସାଙ୍ଗରେ ଆସି ରହିବ - "
"ହଁ , ହଁ , ବଡ଼ ଦୁଃଖଦାୟକ ଘଟଣା , କିନ୍ତୁ ଶାନ୍ତ ହୁଅ , ନିଜ ଉପରେ ନିୟନ୍ତ୍ରଣ ରଖ ଗଦାଧର , ନହେଲେ ଆମେ ଧରା ପଡ଼ିଯିବା ଯେ " -- ମାଗୁଣିଲାଲ କହିଲେ ଧୀର ସ୍ବରରେ ଏବଂ ସାନ୍ତ୍ବନା ଦେବା ପାଇଁ ଗଦାଧରର ହାତକୁ ଆଉଁଶି ଦେଲେ | ଏହି ସମୟରେ ଡମ୍ବରୁଧର ବଗିଚା ବାଡ଼ଟି ଡେଇଁ ଘର ଦୁଆର ସାମ୍ନାକୁ ଆସି ଯାଇଥିଲେ | ସେ ହରିକୁ ଆସ୍ତେ ଶୁଆଇ ଦେଲେ ଦୁଆର ମୁହଁରେ , ଚାଦର ଭିତରୁ ଏକ ଚିଠି ବାହାର କରି ହରିର କମ୍ବଳ ଭିତରେ ରଖିଲେ ଏବଂ ଅପେକ୍ଷା କରିଥିବା ଅନ୍ୟ ଦୁଇଜଣଙ୍କ (ଗଦାଧର ଓ ମାଗୁଣିଲାଲ୍) ପାଖକୁ ଫେରି ଆସିଲେ | ସେଠାରେ ସେମାନେ ଆଉ ମୂହୁର୍ତ୍ତେ ଠିଆ ହୋଇ ଦୁଆର ମୁଁହରେ ଥିବା କମ୍ବଳ ପୁଟୁଳିଟିକୁ ଦେଖିଲେ ; ଗଦାଧରର କାନ୍ଧ ଥରି ଉଠିଲା କୋହରେ , ଗୁରୁ ମାଗୁଣିଲାଲ୍ ଆଖିରେ ଲୁହ ରୋକିବାକୁ ପ୍ରାଣପଣେ ଚେଷ୍ଟା କରୁଥାନ୍ତି , ଡମ୍ବରୁଧରଙ୍କ ଆଖିରେ ଚମକୁଥିବା ଜ୍ୟୋତିଟି କେଉଁଠି ହଜି ଯାଇଥିବା ପରି ମନେ ହେଉଥାଏ |
" ଆଛ୍ଛା " ଶେଷରେ ନୀରବତା ଭଙ୍ଗ କଲେ ଡମ୍ବରୁଧର , " ଏତିକି ହିଁ | ଏଠାରେ ଆମ କାମ ଶେଷ ହେଲା |ଏବେ ବରଂ ଆମେ ଯାଇ ଉତ୍ସବରେ ଯୋଗ ଦେବା ଭଲ ହେବ |"
" ହଁ ଆଜ୍ଞା, " କ୍ଷୀଣ ସ୍ବରରେ କହିଲା ଗଦାଧର , " ମୋତେ ବି ଶିରିଆକୁ ତା' ସାଇକେଲ ଫେରାଇବାକୁ ହେବ | ଶୁଭରାତ୍ରୀ ଗୁରୁ ମାଗୁଣିଲାଲ୍ -- ଗୁରୁ ଡମ୍ବରୁଧର ମହାଶୟ | "
ପିନ୍ଧା ପୋଷାକର ହାତରେ ଆଖି ପୋଛି ଗଦାଧର ମୋଟରସାଇକେଲଟି ଉପରେ ବସି ପଡ଼ିଲା ଏବଂ ତା'ର ଗୋଟିଏ ଧକ୍କାରେ ଗାଡ଼ିର ଇଞ୍ଜିନ ଗର୍ଜନ କରିବା ଆରମ୍ଭ କରିଦେଲା ; ଗୋଟିଏ ବଡ଼ ଗର୍ଜନ କରି ଏହା ଆକାଶ ମାର୍ଗକୁ ଉଠିଗଲା ଏବଂ ରାତ୍ରୀର ଅନ୍ଧକାରରେ ଲୀନ ହୋଇଗଲା |
"ଆଶା କରେ , ଆମେ ଖୁବ୍ ଶୀଘ୍ର ପୁଣି ଥରେ ଦେଖା ହେବା , ଗୁରୁ ମାଗୁଣିଲାଲ୍ " କହିଲେ ଡମ୍ବରୁଧର ମୁଣ୍ଡ ନୁଁଆଇ ; ଜବାବରେ ମାଗୁଣିଲାଲ କିଛି କହି ପାରିଲେ ନାହିଁ , କୋହ ରୋକି ନାକ ପୋଛିଲେ କେବଳ |
ଡମ୍ବରୁଧର ବୁଲିପଡ଼ି ଗଳିମୁଣ୍ଡକୁ ଚାଲିଲେ | ଗଳିମୁଣ୍ଡରେ ଅଟକି ଯାଇ ପୁଣି ସେହି ଲାଇଟର ଭଳି ଆଲୋକ-ଲିଭା-ଯନ୍ତ୍ରଟି ପକେଟରୁ ଖୋଲି ଧରିଲେ | ସେ ଏହାର ବୋତାମଟିକୁ ଥରଟିଏ ଟିପି ଦେଲେ ଏବଂ ବାରଟି ଆଲୋକ ପିଣ୍ଡ ଯନ୍ତ୍ରରୁ ବାହରି ଯାଇ ରାସ୍ତା ପାର୍ଶ୍ବର ବତିମାନଙ୍କରେ ସେମାନଙ୍କ ପୂର୍ବ ସ୍ଥାନରେ ପ୍ରବେଶ କଲା | ହଠାତ୍ ପ୍ରଭାତ ସାହି ପୁନର୍ବାର ଏକ ହଳଦି ରଙ୍ଗର ଆଲୋକରେ ଆଲୋକିତ ହେଲା | ସେହି ଆଲୋକରେ ଡମ୍ବରୁଧର ବିଲେଇଟିକୁ ରାସ୍ତାର ଅପର ପାର୍ଶ୍ବରେ ଏକ କୋଣରେ ଅଦୃଶ୍ୟ ହେବାର ଦେଖିଲେ | ସେଠାରୁ ଦୁର୍ଷାଳବାବୁଙ୍କ ଦୁଆର ମୁଁହରେ ରଖିଥିବା କମ୍ବଳ ପୁଟୁଳିଟି ଦୃଶ୍ୟମାନ ହେଉଥାଏ |
" ଭଲରେ ଥା' ହରି " ଗୁଣୁଗୁଣାଇଲେ ଡମ୍ବରୁଧର ଶେଷଥର ପାଇଁ ଏବଂ ଏକ ପଲକରେ ସେ ସ୍ଥାନରୁ ଅଦୃଶ୍ୟ ହୋଇଗଲେ |
ରାତ୍ରୀର ଅନ୍ଧକାର ଓ ନୀରବତା ମଧ୍ୟରେ ଚାରି ନମ୍ବର ଘର ସାମନାରେ ମୃଦୁ ମନ୍ଦ ପବନରେ ଦୋହଲି ଦୋହଲି ଖେଳୁଥାଏ ଘାସଫୁଲ | କିଏ ଜାଣିଥିଲା ଯେ ଏହି ସାଧାରଣ ସ୍ଥାନଟିରେ ଚମତ୍କାରୀ ଅସାଧାରଣ ଘଟଣାମାନ ଘଟିଯିବ ? କୁନି ହରି ପାତ୍ର ଗଭୀର ନିଦ୍ରାରେ କମ୍ବଳ ମଧ୍ୟରେ କଡ଼ ଲେଉଟାଇଲା , ତାହାର ଛୋଟ ହାତ ମୁଠାରେ ଡମ୍ବରୁଧରଙ୍କ ଲିଖିତ ପତ୍ର ... ସେ ଶୋଇରହିଲା ନିଶ୍ଚିନ୍ତ ଭାବରେ ଏକଥା ନଜାଣି -- ଯେ, ସେ ସ୍ବତନ୍ତ୍ର -- ଯେ, ସେ ବିଖ୍ୟାତ -- ଯେ, ଆଉ ମାତ୍ର କିଛି ସମୟ ଅନ୍ତେ ତା'ର ନିଦ୍ରାଭଙ୍ଗ ହେବ ଦୁର୍ଷାଳାଣୀଙ୍କ ଚିତ୍କାର ଶୁଣି , ଯେତେବେଳେ ସେ କବାଟ ଖୋଲି କ୍ଷୀର ବୋତଲ ବାହାରେ ରଖିବାକୁ ଆସିବେ -- ଯେ, ପରବର୍ତ୍ତୀ କେତୋଟି ସପ୍ତାହ ତା'ର ଭାଇ ଦୁଦୁଲି ଠାରୁ ବିଧା--ଚିମୁଡ଼ା--ରାମ୍ପୁଡ଼ା ଖାଇ ବିତିବ | ସେ ଜାଣି ନଥିଲା ଯେ, ସେହି ଶୁଭ ଅଥବା ଅଶୁଭ ମୂହୁର୍ତ୍ତରେ ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଗୋପନରେ ମିଶି ତା' ନାମରେ ଉତ୍ସବ ମନାଉଛନ୍ତି -- " ମଙ୍ଗଳ ହେଉ ହରି ପାତ୍ରର -- ବାଳକ ଯିଏ ବଞ୍ଚି ରହିଲା |"
-- ପ୍ରଥମ ଅଧ୍ୟାୟ ଶେଷ --
[ ଏଠାରେ ପଢନ୍ତୁ ଭାଗ - ୭ ]
ମୂଳ ରଚନା -- ଜେ. କେ. ରାଓଲିଂ
ଅନୁବାଦ -- ଗଣେଶ
