ହରି ପାତ୍ର ଓ ଗୁଣିଆ ପଥର (ଭାଗ-୩)

[ ଏଠାରେ ପଢନ୍ତୁ ଭାଗ - ୨ ]



କିଛି ସମୟ ପରେ ଦୁର୍ଷାଳାଣୀ ଦୁଇ କପ୍ ଚା ଧରି ବୈଠକ ଘରକୁ ଆସିଲେ | ନୀରବତା ଆଦୌ ଭଲ ନୁହେଁ | ବାବୁଙ୍କୁ କିଛି ନା କିଛି କହିବାକୁ ପଡ଼ିବ | ଏମିତି ଘାବରା ହେଲେ ଚଳିବ ନାହିଁ | ବାବୁ ଟିକେ ଗଳା ଖଙ୍କାରି କହି ଉଠିଲେ , " ଏଁ -- ପୁତନା ( ଦୁର୍ଷାଳାଣୀଙ୍କ ଭଲନାମ ), ପ୍ରିୟେ -- ତୁମ ଭଉଣୀର ଆଜିକାଲି ଖବର କ'ଣ , କିଛି ଜାଣିଛ ? "

ବାବୁ ଯାହା ଆଶଙ୍କା କରୁଥିଲେ , ତାହା ହିଁ ହେଲା -- ଶ୍ରୀମତି ହଠାତ୍ ରାଗିଗଲେ ଓ ଉଠି ପଳାଇବାକୁ ବସିଲେ | ଯାହା ହେଲେ ବି ସେମାନେ ସର୍ବଦା ଛଳନା କରି ଆସିଛନ୍ତି କି ଦୁର୍ଷାଳାଣୀଙ୍କର କୌଣସି ଭାଇ ଭଉଣୀ ନାହାନ୍ତି |

" ନାଁ , କ'ଣ ପାଇଁ ? " -- ଦୁର୍ଷାଳାଣୀ ପଚାରିଲେ ବିରକ୍ତିରେ |

" ନାଁଇ ... ଏଇ ଆଜି ସମାଚାରରେ ବହୁତ ଅଜବ କଥାମାନ ଶୁଣିଲି " , ବାବୁ ବିଳିବିଳେଇଲେ , " ଉଲ୍ଲୁକ ... ଉଲକାପାତ ... ଆଉ ସହରରେ ଅନେକ ରହସ୍ୟମୟ ଲୋକ ... "

" ସେଇଠୁ ? "

" ନାଇଁ , ମୁଁ ବାସ୍ ଭାବିଲି କି ... ବୋଧେ ... ଏସବୁ ଅସ୍ବାଭାବିକ ଘଟଣା ... ତୁମେ ଜାଣିଛ ... ଏସବୁ ତୁମ ଭଉଣୀ ଆଉ ତା ଲୋକମାନଙ୍କ କାମ ନୁହେଁ ତ ? "

ଦୁର୍ଷାଳାଣୀ ଚା ପିଉ ପିଉ ଓଠ କାମୁଡ଼ି ପକାଇଲେ , କିନ୍ତୁ କିଛି କହିଲେ ନାହିଁ | ଦୁର୍ଷାଳବାବୁ ଯେ ଦିନରେ ପାତ୍ର ପରିବାରର ନାଁ ଶୁଣିଥିଲେ ରାସ୍ତାରେ , ଏକଥା ପତ୍ନୀଙ୍କୁ କହିବା ପାଇଁ ସାହସ ଜୁଟାଇଲେ -- କିନ୍ତୁ ସାହସ ହେଲା ନାହିଁ |ବଦଳରେ ସେ ଆକସ୍ମିକ ଭାବେ ପଚାରି ଦେଲେ , " ତାଙ୍କ ପୁଅ -- ସିଏ ଏବେ ଦୁଦୁଲି ବୟସର ହେଇଥିବ , ନୁହଁ ? "

" ହଁ ହେଇଥିବ " -- କଠୋର ସ୍ବରରେ ଜବାବ ଦେଲେ ବାବୁଆଣୀ |

" ତା' ନାଁ କ'ଣ ଟିକେ କହିଲ ? 'ହାଡ଼ୁ' ... ନୁହେଁ ? "

" ହରି , ଅପରିଛନିଆ ମଫସଲି ନାଁ , ମୋ ମତରେ | "

" ଆରେ ହଁ , " ବାବୁଙ୍କ ମନରେ ଭୟ , " ମୁଁ ବି ସେଇଆ କହୁଛି | " ଏତିକିରେ ସେମାନେ ଶୋଇବାକୁ ଗଲେ , କିନ୍ତୁ ବାବୁ ଏ ବିଷୟରେ ଆଉ ଗୋଟେ ଶବ୍ଦ ବି କହିଲେ ନାହିଁ |

ଦୁର୍ଷାଳାଣୀ ଧୁଆଧୋଇ ହେବା ପାଇଁ ବାଡ଼ିଆଡ଼େ ଯାଇଥିବା ବେଳେ ଦୁର୍ଷାଳବାବୁ ଶୋଇବା ଘର ଝରକାରୁ ଘର ସାମ୍ନା ବଗିଚା ଆଡ଼କୁ ଅନେଇଲେ | ତଥାପି ବିଲେଇଟି ସେଇଠି ବସିଥାଏ ଓ ପ୍ରଭାତ ସାହି ଗଳିମୁଣ୍ଡକୁ ଚାହିଁ ରହିଥାଏ -- ଯେମିତି କି କାହାକୁ ଅପେକ୍ଷା କରିଛି |

ସେ ଏସବୁ ଜିନିଷ କଳ୍ପନା କରୁ ନାହାନ୍ତି ତ ? ଏସବୁ ଘଟଣା ସହିତ ପାତ୍ରମାନଙ୍କର ସମ୍ପର୍କ କ'ଣ ? ଯଦି ସମ୍ପର୍କ ଅଛି ... ଯଦି ଲୋକମାନେ ଜାଣି ଯାଆନ୍ତି ଯେ ସେ ପାତ୍ରମାନଙ୍କର ସମ୍ପର୍କୀୟ -- ନାଁ ତାହା ସେ ଜମ୍ମା ସହି ପାରିବେ ନାହିଁ |

ଦୁର୍ଷାଳ ଦମ୍ପତ୍ତି ଶୋଇବାକୁ ଗଲେ | ଶ୍ରୀମତି ଦୁର୍ଷାଳ ଶୀଘ୍ର ଶୋଇ ପଡ଼ିଲେ , କିନ୍ତୁ ଦୁର୍ଷାଳବାବୁଙ୍କ ଆଖିରେ ନିଦ ନାହିଁ | ଦିନଯାକର ଘଟଣାବଳିକୁ ନିଜ ମୁଣ୍ଡ ଭିତରେ ବାରମ୍ବାର ଲେଉଟାଇଲେ | ଶେଷରେ ଗୋଟିଏ ଶାନ୍ତିପ୍ରଦ ଭାବନା ବାବୁଙ୍କ ମନରେ ଆସିଲା ଠିକ୍ ନିଦ ଆସିବା ବେଳକୁ | ଯଦିଓ ପାତ୍ରମାନେ ଏସବୁ ଘଟଣାରେ ସମ୍ପୃକ୍ତ , ସେମାନଙ୍କର ଦୁର୍ଷାଳ ପରିବାର ପାଖକୁ ଆସିବାର କୌଣସି କାରଣ ନାହିଁ | ପାତ୍ର ଦମ୍ପତ୍ତି ଭଲ ଭାବେ ଜାଣନ୍ତି ଯେ ସେ ଓ ପୁତନା ସେମାନଙ୍କ ବିଷୟରେ ଓ ସେମାନଙ୍କ ଗୋଷ୍ଠି ବିଷୟରେ କ'ଣ ଭାବନ୍ତି ... ଏସବୁ ଘଟଣା ଅଘଟଣ ଯାହା ବି ହେଉ , ଏଥିରେ ସେ ଏବଂ ପୁତନା କିପରି ସମ୍ପୃକ୍ତ ହୋଇଯିବେ ତାହା ସେ ଭାବି ପାରିଲେ ନାହିଁ | ସେ ହାଇ ମାରି କଡ଼ ଲେଉଟାଇଲେ -- ନାଁ ଏସବୁରେ ସେ ହଇରାଣ ହେବାର ସମ୍ଭାବନା ନାହିଁ |

କିନ୍ତୁ ତାଙ୍କର ଭାବନା ଭୂଲ ଥିଲା |

ଦୁର୍ଷାଳବାବୁଙ୍କୁ ତ ଧିରେ ଧିରେ ନିଦ ଆସିଗଲା , କିନ୍ତୁ ବାଡ଼ ମୂଳରେ ବସିଥିବା ବିଲେଇଟି ସମ୍ପୂର୍ଣ୍ଣ ଜାଗ୍ରତ ଥାଏ | ଗୋଟିଏ ପଥର ମୂର୍ତ୍ତି ପରି ସ୍ଥିର ହୋଇ ବସିଥାଏ ଓ ଅପଲକ ଆଖିରେ ପ୍ରଭାତ ସାହି ଗଳି ମୁଣ୍ଡକୁ ଅନେଇଥାଏ | ରାସ୍ତାରେ ଗୋଟିଏ ଗାଡ଼ି ଜୋର ଶବ୍ଦକରି ଚାଲିଗଲା , ଆକାଶରେ ଦୁଇଟା ପେଚା ଉଡ଼ିଗଲେ -- ତଥାପି ବିଲେଇ ସ୍ଥିର ହୋଇ ବସିଥାଏ | ମଧ୍ୟରାତ୍ରୀ ଯାଏ ବିଲେଇ ସେହିପରି ହଲ୍ଚଲ୍ ନ ହୋଇ ବସି ରହିଲା |

ମଧ୍ୟରାତ୍ରୀରେ ହଠାତ୍ ବିଲେଇ ଜଗିଥିବା ଗଳିମୁଣ୍ଡରେ ଜଣେ ଲୋକ ଦେଖାଗଲେ , ସେ ଏତେ ଶୀଘ୍ର ଓ ଏତେ ନିଃଶବ୍ଦ ରୂପେ ଦେଖାଦେଲେ ଯେ ସେ ହଠାତ୍ ମାଟି ଅଥବା ଆକାଶରୁ ଆବିର୍ଭୂତ ହେଲାପରି ଜଣାଗଲା | ବିଲେଇ ଲାଞ୍ଜ ହଲାଇଲା ଓ ସ୍ଥିର ନୟନରେ ଲୋକଟିକୁ ଅବଲୋକନ କଲା |

ପ୍ରଭାତ ସାହିରେ କେବେ ଏପରି କୌଣସି ଲୋକର ଦେଖା ଦର୍ଶନ ନଥିଲା | ଜଣେ ଡେଙ୍ଗା , ପତଳା ଓ ଅତ୍ୟନ୍ତ ବୃଦ୍ଧ ବ୍ୟକ୍ତି | ତାଙ୍କର ରୂପା ଭଳି ଧଳା ଦାଢି ଓ କେଶ ତାଙ୍କ କମର ଯାଏ ଲମ୍ବିଥାଏ ଓ କମରବନ୍ଧରେ ଖୋସା ହୋଇଥାଏ | ସେ ପିନ୍ଧିଥାନ୍ତି ଏକ ଲମ୍ବା ପଞ୍ଜାବି ଓ ଏକ ବାଇଗଣୀ ରଙ୍ଗର ଚାଦର -- ଯାହା ତାଙ୍କ ପାଦ ପର୍ଯନ୍ତ ଲମ୍ବିଥାଏ | ଗୋଡ଼ରେ ଥାଏ ଓଜନଦାର୍ ଚମଡ଼ା ଜୋତା |



ତାଙ୍କର ଅର୍ଧଚନ୍ଦ୍ର ଚଷମା ପଛରୁ ଦୁଇଟି ଉଜ୍ଜ୍ବଳ ନୀଳବର୍ଣ୍ଣ ଚକ୍ଷୁ ଚମକୁଥାଏ ଚନ୍ଦ୍ରାଲୋକରେ | ତାଙ୍କର ନାକଟି ଅତି ଦୀର୍ଘ ଓ ବକ୍ର , ଶୁଆ ଥଣ୍ଟ ପରି ; ଯେମିତିକି ନାକର ହାଡ଼ ଦୁଇ ଥର ଦୁଇ ଜାଗାରେ ଭାଙ୍ଗି ଯାଇଛି | ସେହି ଲୋକଟିର ନାମ ଆଲିବାବା ଡମ୍ବରୁଧର |

[ ଏଠାରେ ପଢନ୍ତୁ ଭାଗ - ୪ ]


ମୂଳ ରଚନା - ଜେ. କେ. ରାଓଲିଂ
ଅନୁବାଦ - ଗଣେଶ