ଗଙ୍ଗାରାମ ନାମରେ ଜଣେ ବ୍ୟବସାୟୀ ଥାଏ | ତା'ର ଚାରି ପୁଅ | ଲୋକେ କୁହନ୍ତି ସତରେ ଗଙ୍ଗାରାମ ଭାଗ୍ୟବାନ୍ | ସେ ମଧ୍ୟ ସେୟା ଭାବି ଖୁବ୍ ଖୁସୀ ଥାଏ |
ପୁଅମାନେ କ୍ରମେ ବଡ଼ ହେଲେ | ଥରେ ଜଣେ ଧନୀଲୋକ ଆସି ପହଞ୍ଚି ବଙ୍ଗାରାମକୁ କହିଲେ, " ମୁଁ ଆପଣଙ୍କ ବଡ଼ ପୁଅଟିକୁ ଘରଜୋଇଁଆ କରି ନେବାକୁ ଚାହେଁ | ରାଜୀ ତ ?"
ଧନ ପାଇଁ ସବୁ କିଛି ତ୍ୟାଗ କରିପାରନ୍ତି ଗଙ୍ଗାରାମ | ଧନ ଲୋଭରେ ପଡ଼ି ସେ ପଚିଶ ହଜାର ଟଙ୍କା ସମୁଦୀଙ୍କଠୁ ରଖି ବଡ଼ ପୁଅକୁ ବିବାହ ଦେଇ ତାଙ୍କ ଘରକୁ ପଠାଇ ଦେଲେ | ଠିକ୍ ସେହିଭଳି ଭାବରେ କୋଡ଼ିଏ ହଜାର ଟଙ୍କା ଆଉ ଜଣେ ଧନୀବ୍ୟକ୍ତିଙ୍କ ଠାରୁ ଦାବି ରଖି ଦ୍ବିତୀୟ ପୁଅଟିକୁ ମଧ୍ୟ ତା'ର ଇଛ୍ଛା ବିରୁଦ୍ଧରେ ବିବାହ ଦେଇ ଶ୍ବଶୁର ଘରକୁ ପଠାଇ ଦେଲେ | ତୃତୀୟ ପୁଅର ବିବାହ ମଧ୍ୟ ଜଣେ ଧନୀର ଝିଅ ସହିତ ହେଲା | ସେଠାରୁ ଗଙ୍ଗାରାମ କୋଡ଼ିଏ ହଜାର ଟଙ୍କା ପାଇଲେ | କିନ୍ତୁ ତୃତୀୟ ବୋହୂଟି ବୁଢାର ଏ ଲୋଭ ଦେଖି ତା' ସ୍ବାମୀକୁ ନେଇ ଅଲଗା ଘର କରି ରହିଲା |
ଏହିପରି ଜଣେ ପରେ ଜଣେ ପୁଅ ତା' ଠାରୁ ଦୂରେଇଗଲେ, ହେଲେ ଗଙ୍ଗାରାମର ଚିନ୍ତା ନାହିଁ | ସବୁ ଟଙ୍କା ଏକାଠି କରି ଧନୀ ହୋଇ ବସିଛି | ଏବେ ପାଳି ପଡ଼ିଲା ଚତୁର୍ଥ ପୁଅର | ପ୍ରଥମରୁହିଁ ପୁଅ ମନା କରିଦେଲା ଯୌତୁକ ବା ଦାବି ଟଙ୍କା ନେଇ ସେ କଦାପି ବିବାହ କରିବ ନାହିଁ | ଗଙ୍ଗାରାମ ପୁଅକୁ ଖୁବ୍ ବୁଝାଇଲା | ହେଲେ ପୁଅ ନିଜ କଥାରେ ଅଟଳ | ତା'ପରେ ସେ ଅନ୍ୟଭାବରେ ପୁଅକୁ ବୁଝାଇଲା, "ଆରେ ପୁଅ, ଆମେ ଯୌତୁକ ନେବା ନାହିଁ ସିନା, ଉପହାର ତ ନେବା !"
" ଯୌତୁକ ବା ଉପହାର ମୁଁ କନ୍ୟା-ପିତାଙ୍କଠାରୁ କିଛି ନେବି ନାହିଁ |" ଏକଥା କହି ଚତୁର୍ଥପୁଅଟି ନିଜ ପସନ୍ଦ ଅନୁସାରେ ଝିଅଟିଏ ଠିକ୍ କରି ତା' ସହ ଫୁଲହାର ବଦଳ କରି ବିବାହ କଲା | ଗଙ୍ଗାରାମ ପୁଅବୋହୂଙ୍କୁ ଘରୁ ବାହାର କରିଦେଲା |
କେତେ ବର୍ଷ ପରେ ଗଙ୍ଗାରାମ ବୁଢା ହୋଇଗଲା | ସ୍ତ୍ରୀ ତ ଆଗରୁ ମରିଯାଇଥିଲା | ପୁଅମାନେ ସବୁ ଦୂରରେ | ଏକୁଟିଆ ରହି ଚିନ୍ତା କରି କରି ବେମାର ହେଲା ଓ ସେ ଶଯ୍ୟାଶାୟୀ ହୋଇପଡ଼ିଲା | ଦରମା ଦେଇ ଚାକର ରଖିଲେ କାଳେ ଚାକର ତା ତଣ୍ଟିଚିପି ମାରିଦେବ ଓ ସବୁ ଟଙ୍କା ନେଇ ପଳାଇବ, ସେଥିପାଇଁ ସ୍ଥାୟୀ ଚାକର ରଖିପାରେ ନାହିଁ |
ବାପାଙ୍କର ଅସୁସ୍ଥତା ବିଷୟରେ ଖବର ପାଇ ଚତୁର୍ଥ ପୁଅ ସ୍ତ୍ରୀକୁ ଧରି ଆସି ପହଞ୍ଚିଲା | ବୁଢା ପଶ୍ଚାତ୍ତାପ କରି ଖୁବ୍ କାନ୍ଦିଲା | ବୋହୂଟି ବୁଢାର ଅନେକ ସେବା ଯତ୍ନ କଲା | ବୁଢାକୁ ଲାଗିଲା ଯେ ସେ ତା'ର ଜୀବନ ଫେରି ପାଇଛି | ଦିନେ ବୁଢା ସାନ ପୁଅକୁ ଅନ୍ୟ ପୁଅମାନଙ୍କ ବିଷୟରେ ପଚାରିଲା | ସାନପୁଅ କହିଲା, " ବଡ଼ ଭାଇଙ୍କୁ ତ ଟଙ୍କା ନେଇ ବିକିଛ | ମଝିଆଁ ଭାଇ ତ ତାଙ୍କ ଇ୍ଛ୍ଛା ବିରୁଦ୍ଧରେ ବିବାହ ହୋଇ ନରକ ଯନ୍ତ୍ରଣା ଭୋଗୁଛନ୍ତି | ତୃତୀୟ ଭାଇ ତୁମ ଦୁର୍ବୁଦ୍ଧି ଦେଖି ଦୂରେଇ ରହିଛନ୍ତି | ଆସିବ କିଏ ?"
ଏକଥା ଶୁଣି ବୁଢା ବହୁତ କାନ୍ଦିଲା | ହେଲେ ବିକିଦେଲା ପରେ ଦୂରେଇ ଯାଇଥିବା ପୁଅମାନଙ୍କୁ ପୁଣି ଥରେ ତ କିଣି ଆଣି ହେବ ନାହିଁ | କେବଳ ଚତୁର୍ଥଟି ବିକା ହୋଇ ନଥିଲା ବୋଲି ଶେଷକାଳରେ ବୁଢାର ଏକମାତ୍ର ଆଶା ଓ ଆଶ୍ବାସନାର ସ୍ଥଳୀ ହୋଇ ରହିଲା |
