ହରି ପାତ୍ର ଓ ଗୁଣିଆ ପଥର (ଭାଗ-୨)

[ ଏଠାରେ ପଢନ୍ତୁ ଭାଗ - ୧ ]

ଦୁର୍ଷାଳବାବୁ ଆଶଙ୍କାରେ ଅସ୍ତବ୍ୟସ୍ତ ହୋଇ ରାସ୍ତାର ଅପରପାର୍ଶ୍ବକୁ ଧାଇଁଗଲେ, ତରବରରେ ଯାଇ ଦୋକାନଘରେ ପଶିଗଲେ; ବାବୁଙ୍କ ସହକାରୀ ତାଙ୍କୁ ବଲବଲ କରି ଅନେଇଥାଏ -- ବାବୁ ଗର୍ଜି ଉଠିଲେ, "ମୋ ଆଡ଼େ ନ ଦେଖି ନିଜ କାମ କର୍ |" ବସିପଡ଼ି ଫୋନ ଉଠାଇଲେ ଏବଂ ନିଜ ଘର ନମ୍ବର ଡାଏଲ୍ କଲେ, କିନ୍ତୁ ହଠାତ୍ ମନରେ ଏକ ପରିବର୍ତ୍ତନ ଆସିଲା | ସେ ଫୋନ ରଖି ଦେଲେ, ନିଶ ସାଉଁଳିଲେ ଓ ଭାବିଲେ ... ନା, ଏମିତି ଛୋଟ କଥାଟିଏ ପାଇଁ ଘରକୁ ଫୋନ କରି ବସିବା ମୂର୍ଖାମୀ | ପାତ୍ର କିଛି ଅସାଧାରଣ ନାମ ନୁହେଁ | ନିଶ୍ଚିତରୂପେ ଦେଶରେ ବହୁତ ଲୋକ ଅଛନ୍ତି, ଯେଉଁମାନଙ୍କ ନାମ ପାତ୍ର ଏବଂ ଯେଉଁମାନଙ୍କ ପୁଅର ନାମ ହରି | ଭାବି ଦେଖିଲେ, ତାଙ୍କ ପୁତୁରାର ନାଁ ହରି କି ନୁହଁ -- ଏକଥା ତ ତାଙ୍କୁ ଜଣା ନାହିଁ | ସେ ନିଜେ କେବେ ପିଲାଟିକୁ ଦେଖି ନାହନ୍ତି | ତା' ନାଁ ହର୍ଷ, ହଳଧର, ହରିହର କିଛି ବି ହୋଇପାରେ | ଦୁର୍ଷାଳଣୀଙ୍କୁ ଏମିତି ଏକ ଛୋଟ କଥା ପାଇଁ ବିରକ୍ତ କରିବା ଠିକ୍ ହେବ ନାହିଁ; ଭଉଣୀ କଥା ଉଠିଲେ ତାଙ୍କ ମୁହଁ ଶୁଖିଯାଏ, ବସିଥିବା ଜାଗାରୁ ଉଠି ପଳାନ୍ତି | ତାଙ୍କୁ ଦୋଷ ଦେଲେ କ'ଣ ହେବ -- ବାବୁଙ୍କର ନିଜର ଏମିତି ଗୋଟେ ଭଉଣୀ ଥିଲେ -- ଛାଡ଼ , ସେ ଯାହା ବି ହେଉ , କିନ୍ତୁ ଏ ଚାଦର ପରିହିତ ଲୋକମାନେ ...


ଅପରାହ୍ନରେ ଦୋକାନ ଧନ୍ଦାରେ ବାବୁଙ୍କର ଅଦୌ ମନ ଲାଗିଲା ନାହିଁ , ପାଞ୍ଚଟା ବେଳେ ହିଁ ସେ ଦୋକାନ ଛାଡ଼ି ଘରକୁ ଯିବା ପାଇଁ ବାହାରିଲେ | ଚିନ୍ତାମଗ୍ନ ହୋଇ ଚାଲୁଥାନ୍ତି , ଠିକ୍ ଦୋକାନ ଦୁଆର ଆଗରେ ହିଁ ବାବୁ ଜଣେ ବୁଢା ଲୋକ ସହିତ ଧକ୍କା ଖାଇଲେ | ବୃଦ୍ଧ ଜଣକ ଦୁର୍ବଳ, ଧକ୍କା ଖାଇ ତଳେ ପଡ଼ୁ ପଡ଼ୁ ଅଳ୍ପକେ ରହିଗଲେ , ବାବୁ ଦେଖିଲେ ଯେ ବୃଦ୍ଧ ଜଣକ ଗୋଟିଏ ବାଇଗଣୀ ବର୍ଣ୍ଣର ଚାଦର ଘୋଡ଼ିଥାନ୍ତି ଏବଂ ଭାରି ଖୁସୀ ଥାନ୍ତି; ଧକ୍କା ଖାଇ ତଳେ ପଡ଼ିଯିବାର ଖେଦ ନ ଥାଏ ମନରେ | ବୃଦ୍ଧଙ୍କ ମୁହଁରେ ହସର ଲହରି | ବୃଦ୍ଧ ଏକ ଅସ୍ବାଭାବିକ ମୂଷିକବତ୍ ସ୍ବରରେ କହି ଉଠିଲେ, " ଦୁଃଖ ନାହିଁ , ପ୍ରିୟ ବନ୍ଧୁ , ଆଜି କୌଣସି ଘଟଣା-ଅଘଟଣ ମୋତେ ଦୁଃଖୀ କରିପାରିବ ନାହିଁ ! ଖୁସୀ ମନାଅ , କାରଣ ତୁମେ-ଜାଣିଛ-କିଏ ଶେଷରେ ପରାଜିତ ହୋଇ ଚାଲି ଯାଇଛି | ଆପଣଙ୍କ ପରି ମୁଗଲମାନେ ମଧ୍ୟ ଉତ୍ସବ ମନାଇବା କଥା , ଆଜି ଭାରି ଖୁସୀର ଦିନ , ଭାରି ଖୁସୀର ଦିନ |" 

ଏପରି କହି ବୃଦ୍ଧ ଜଣକ ଦୁର୍ଷଳବାବୁଙ୍କୁ ପେଟ ମଝିରୁ କୁଣ୍ଢାଇ ପକାଇଲେ ଓ ନିଜ ରାସ୍ତାରେ ଚାଲି ଗଲେ |

ଦୁର୍ଷାଳବାବୁ ସେହି ସ୍ଥାନରେ ଦଣ୍ଡେ ଛିଡା ହୋଇ ରହିଗଲେ | ଜଣେ ଅଚିହ୍ନା ଅଜଣା ଲୋକ ତାଙ୍କୁ ରାସ୍ତା ମଝିରେ କୁଣ୍ଢାଇ ପକାଇଲା , ଏବଂ ତାଙ୍କୁ 'ମୁଗଲ' କହିଲା -- କ'ଣ ପାଇଁ ? ବାବୁ ଜଣେ ସଂସ୍କାରବାଦୀ ହିନ୍ଦୁ , ମୁଗଲମାନଙ୍କ ସହିତ ତାଙ୍କର ସମ୍ପର୍କ କ'ଣ ? ଲୋକଟା ପାଗଳ ନିଶ୍ଚୟ | ବାବୁ ଗାଡ଼ି ଧରି ଘରକୁ ବାହାରିଲେ , ଆଶା କରୁଥାନ୍ତି କି ଏସବୁ ଘଟଣା ତାଙ୍କ ମନର କଳ୍ପନା ମାତ୍ର , କିନ୍ତୁ ପୂର୍ବରୁ ଏପରି କେବେ ହୋଇ ନଥିଲା ତ ; କାରଣ ତାଙ୍କୁ କଳ୍ପନା-ଜଳ୍ପନା କରିବା ଭଲ ଲାଗେ ନାହିଁ |

ଘର ସାମ୍ନାରେ ପହଞ୍ଚି ସେ ଏପରି ଏକ ଜିନିଷ ଦେଖିଲେ କି ତା'ଙ୍କ ମନ ଖୁସୀ ପରିବର୍ତ୍ତେ ପୁଣି ଥରେ ବିରକ୍ତିରେ ଭରିଗଲା -- ସକାଳେ ଦେଖିଥିବା ସେହି ଧୁଷର ବିଲେଇଟି ଏବେ ତାଙ୍କ ଘର ବଗିଚା ବାଡ଼ମୂଳରେ ବସିଥାଏ | ନିଶ୍ଚିତରୂପେ ଏଇଟି ସେହି ସକାଳର ମାନଚିତ୍ର ପଢୁଥିବା, ନାଁ ନାଁ ... ମାନଚିତ୍ର ଦେଖୁଥିବା ବିଲେଇ -- ଏହାର ଆଖି ଚାରିପଟେ ସମାନ ଚିହ୍ନ ଥାଏ |

" ଛୁଃ ...  ଛୁଃ " ଦୁର୍ଷାଳବାବୁ ବିଲେଇ ଆଡ଼େ ଗର୍ଜିଉଠିଲେ | କିନ୍ତୁ ବିଲେଇ ଟିକେ ବି ନିଜ ଜାଗାରୁ ହଲିଲା ନାହିଁ ; ବରଂ ବାବୁଙ୍କ ଆଡ଼େ ଏକ ତୀକ୍ଷ୍ଣ ଚାହାଣୀରେ ଦେଖିଲା | ଏହା କ'ଣ ଏକ ସାଧାରଣ ବିଲେଇର ବ୍ୟବହାର ? ଏକ ସାଧାରଣ ବିଲେଇର ସ୍ବଭାବ ? ବାବୁ୍ଙ୍କ ବିସ୍ମୟର ସୀମା ନାହିଁ | ଏପରି ଭାବି ଭାବି ବାବୁ ଘର ଭିତରକୁ ଗଲେ , ସ୍ତ୍ରୀଙ୍କୁ ଏସବୁ କିଛି ନ କହିବା ପାଇଁ ସ୍ଥିର କଲେ |

ଶ୍ରୀମତି ଦୁର୍ଷାଳଙ୍କ ଦିନ ଅତି ସରଳ ଓ ସୁନ୍ଦର ଭାବେ କଟିଥିଲା | ରାତ୍ରୀଭୋଜନ ସମୟରେ ସେ ବାବୁଙ୍କୁ ଶ୍ରୀମତି ପଡ଼ୋଶୀ ଓ ତାଙ୍କ ଝିଅର ବିବିଧ ସମସ୍ୟା ବିଷୟରେ ଓ ଦୁଦୁଲି କିପରି ଗୋଟେ ନୂଆ ଶବ୍ଦ, "ନାଁଇ" , କହିବା ଶିଖିଲା -- ଏସବୁ କହିଲେ | ଦୁର୍ଷାଳ ବାବୁ ଶାନ୍ତ ରହିବାକୁ ଚେଷ୍ଟା କଲେ | ଖାଇସାରି ଦୁଦୁଲି ଶୋଇବା ପରେ, ବାବୁ ବୈଠକ ଘରେ ଦୂରଦର୍ଶନରେ ସମ୍ବାଦ ଦେଖିବା ପାଇଁ ବସିଗଲେ ; ରାତ୍ରୀ ସମାଚାର ଶେଷ ହେବା ପାଇଁ ଆଉ ଅଳ୍ପ କିଛି ସମୟ ବାକି ଥାଏ -- " ଏବଂ ସର୍ବଶେଷରେ, ଆଜି ଦେଶର ସର୍ବତ୍ର ପକ୍ଷୀପ୍ରେମୀମାନେ ଉଲ୍ଲୁକମାନଙ୍କ ବ୍ୟବହାରରେ ଏକ ଅସାଧାରଣ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି | ଯଦିଓ ପେଚାମାନେ ରାତିରେ ଶିକାର କରନ୍ତି ଓ ଦିନରେ କେବେ ଦେଖା ଯାଆନ୍ତି ନାହିଁ , ଆଜି ସୂର୍ଯ୍ୟୋଦୟ ଠାରୁ ସ୍ପଷ୍ଟ ଦିବାଲୋକରେ ଶହ ଶହ ଉଲ୍ଲୁକ ବିଭିନ୍ନ ଦିଗରେ ଉଡ଼ୁଥିବାର ଦେଖାଯାଇଛି | ପକ୍ଷୀ ବିଶେଷଜ୍ଞ ଓ ଗବେଶକମାନେ ଉଲ୍ଲୁକମାନଙ୍କ ବ୍ୟବହାରରେ ଏପରି ପରିବର୍ତ୍ତନର କୌଣସି ବିଜ୍ଞାନ ସମ୍ମତ କାରଣ ଖୋଜି ପାଇ ନାହାନ୍ତି |" -- ସମ୍ବାଦବକ୍ତା ସାମାନ୍ୟ ହସି କହିଚାଲିଲେ --

" ଅତ୍ୟନ୍ତ ରହସ୍ୟମୟ | ଆଉ ଏବେ, ଜିମି ମହାକୁଡ଼ଙ୍କ ସହିତ ଆଜିର ପାଣିପାଗ | ଜିମି , ଆଜି ରାତିରେ ପୁଣିଥରେ ଉଲ୍ଲୁକମାନଙ୍କର ବର୍ଷା ହେବ ନାହିଁ ତ ?"

" ଆଛ୍ଛା, ତନ୍ମୟ , ଉଲ୍ଲୁକମାନଙ୍କ ବିଷୟରେ ମୋତେ ବେଶି କିଛି ଜଣା ନାହିଁ | କିନ୍ତୁ ଆଜି ଯେ କେବଳ ଉଲ୍ଲୁକମାନଙ୍କର ବ୍ୟବହାରରେ ପରିବର୍ତ୍ତନ ଆସିଛି, ଏପରି ନୁହେଁ ; ଦେଶ ସାରା ବିଭିନ୍ନ ସ୍ଥାନରୁ , ଦୂର ଦୂରାନ୍ତରୁ , ଯେପରିକି ଆସାମ, କାଶ୍ମୀର , ଗୁଜରାଟ ଇତ୍ୟାଦି, ଆଜି ସକାଳୁ ଲୋକମାନେ ମୋତେ ଫୋନ କରି କହୁଛନ୍ତି କି ଗତକାଲି ରାତିରେ ଆମର ପାଣିପାଗ ସୂଚନା ମୁତାବକ ବର୍ଷା ହେବା ପରିବର୍ତ୍ତେ ସେମାନଙ୍କ ସହରରେ ଉଲକାପାତ ହୋଇଛି | ବୋଧହୁଏ ଲୋକମାନେ ଏ ବର୍ଷ ସମୟ ପୂର୍ବରୁ ଦୀପାବଳି ପାଳନ କରିବା ଆରମ୍ଭ କରିଦେଇଛନ୍ତି -- ମାତ୍ର ବନ୍ଧୁଗଣ , ଦୀପାବଳିକୁ ଆହୁରି ଦୁଇ ସପ୍ତାହ ବାକି ଅଛି | ଏବଂ ଆଜି ରାତ୍ରୀରେ ବର୍ଷା ହେବାର ସମ୍ଭାବନା ରହିଛି | "

ଦୁର୍ଷାଳବାବୁ ଚୌକିରେ ସ୍ତମ୍ଭିତ ହୋଇ ବସି ରହିଥାନ୍ତି | ଦେଶସାରା ଉଲକାପାତ ? ଦିବାଲୋକରେ ଆକାଶରେ ଶହ ଶହ ଉଲ୍ଲୁକ ? ରାସ୍ତା ଘାଟରେ ଅନେକ ଚାଦର ପରିହିତ ରହସ୍ୟମୟ ଲୋକ ? ଏବଂ କିଛି ଗୋଟେ ଗୁପ୍ତ କଥା , କିଛି ଗୋଟେ ରହସ୍ୟ -- ପାତ୍ର ପରିବାର ବିଷୟରେ ...

[ ଏଠାରେ ପଢନ୍ତୁ ଭାଗ - ୩ ]


ମୂଳ ରଚନା - ଜେ. କେ. ରାଓଲିଂ

ଅନୁବାଦ - ଗଣେଶ