ହରି ପାତ୍ର ଓ ଗୁଣିଆ ପଥର (ଭାଗ-୪)

[ ଏଠାରେ ପଢନ୍ତୁ ଭାଗ - ୩ ]



ଆଲିବାବା ଡମ୍ବରୁଧର ବୋଧେ ଜାଣି ନଥିଲେ ଯେ ଯେଉଁ ଗଳିରେ ସେ ଆସି ପହଞ୍ଚିଛନ୍ତି ସେଠାରେ ତାଙ୍କର ନାମ ଠାରୁ ଜୋତା ପର୍ଯନ୍ତ କିଛି ବି ସ୍ବାଗତ ଯୋଗ୍ୟ ନୁହେଁ | ସେ ନିଜ ଚାଦର ଭିତରୁ କିଛି ଗୋଟେ ଜିନିଷ ଖୋଜିବାରେ ବ୍ୟସ୍ତ ଥିଲେ | କିନ୍ତୁ ହଠାତ୍ ତାଙ୍କୁ ଲାଗିଲା କି ଯେପରି କେହି ଜଣେ ତାଙ୍କ ଉପରେ ନଜର ରଖିଛି , କାରଣ ସେ ମୁଣ୍ଡ ଉଠାଇ ସେହି ବିଲେଇଟିକୁ ଦେଖିଲେ | ବିଲେଇ ଗଳିର ଆର ମୁଣ୍ଡରୁ ତାଙ୍କୁ ଦେଖୁଥାଏ | କୌଣସି କାରଣରୁ ତାଙ୍କୁ ବିଲେଇଟିର ଉପସ୍ଥିତି ଭାରି ମଜାଦାର ମନେ ହେଲା | ସେ ହସି ଉଠି ନିଜକୁ ନିଜେ କହିଲେ , " ହାଃ ... ମୋର ପୂର୍ବରୁ ହିଁ ଜାଣିବାର ଥିଲା | "

ସେ ଯାହା ଖୋଜୁଥିଲେ ତାହା ତାଙ୍କୁ ପଞ୍ଜାବି ପକେଟ ଭିତରୁ ମିଳିଲା | ରୂପାର ସିଗାରେଟ ଲାଇଟର ଭଳି ଜିନିଷଟିଏ | ସେ ଲାଇଟରଟିକୁ ଖୋଲି ହାତରେ ଧରିଲେ ଓ ହାତ ଉପରକୁ ଉଠାଇ ଲାଇଟରର ବୋତାମଟିକୁ ଟିପିଦେଲେ | ହଠାତ୍ ରାସ୍ତା କଡ଼ର ଆଲୁଅବତିଟି ଧପ୍ କରି ଲିଭିଗଲା | ସେ ଆଉଥରେ ବୋତାମଟିକୁ ଟିପିଲେ -- ପରବର୍ତ୍ତି ବତିଟି ଲିଭିଗଲା | ଏହିପରି ସେ ବାର ଥର ବତି ଲିଭା ଯନ୍ତ୍ରଟିର ବୋତାମ ଟିପିଲେ , ଶେଷରେ ରାସ୍ତାରେ କେବଳ ବିଲେଇଟିର ଦୁଇ ଆଖିର ଆଲୋକ ବ୍ୟତିତ ଆଉ କୌଣସି ଆଲୋକ ରହିଲା ନାହିଁ | ଏହି ସମୟରେ ଯଦି କେହି ଝରକା ବାହାରକୁ ଦେଖି ଥାଆନ୍ତା, ଏପରି କି ତୀକ୍ଷ୍ଣ ଚକ୍ଷୁଧାରୀ ଶ୍ରୀମତି ଦୁର୍ଷାଳ, ସେ ରାସ୍ତାରେ ଘଟୁଥିବା କୌଣସି ଘଟଣା ଦେଖି ପାରି ନଥାନ୍ତା | ଡମ୍ବରୁଧର ବତିଲିଭା ଯନ୍ତ୍ରଟିକୁ ପୁଣି ଥରେ ନିଜ ଚାଦର ଭିତର ପକେଟରେ ରଖି ଦେଲେ ଏବଂ ଘର ନଂ ୪ ଆଡ଼କୁ ଚାଲିଲେ | ଘର ସାମନା ବାଡ଼ ମୂଳରେ ବିଲେଇଟି ବସିଥାଏ | ସେ ବିଲେଇ ଆଡ଼କୁ ଅନେଇଲେ ନାହିଁ , କିନ୍ତୁ କିଛି କ୍ଷଣ ପରେ କହି ଉଠିଲେ --

" ମୁଁ ଭାବୁଥିଲି କି ଆପଣ ଏଇଠି ମିଳିବେ, ଗୁରୁ ମାଗୁଣିଲାଲ୍ | "

ସେ ହସିଦେଇ ବିଲେଇ ଆଡ଼କୁ ବୁଲି ଚାହିଁଲେ , କିନ୍ତୁ ସେଠାରେ ବିଲେଇ ନଥିଲା | ବିଲେଇ ବଦଳରେ ସେଠାରେ ଜଣେ କଠୋର ସ୍ବଭାବର ମହିଳା ଠିଆ ହୋଇଥାନ୍ତି , ଯେ କି ଚତୁର୍ଭୂଜାକାର ଚଷମା ପିନ୍ଧିଥାନ୍ତି , ଠିକ୍ ବିଲେଇଟିର ଆଖି ଚାରିପଟେ ଥିବା ଚିହ୍ନ ପରି | ସେ ମଧ୍ୟ ଏକ ଚକମକିଆ ସବୁଜ ରଙ୍ଗର ଚାଦର ଘୋଡ଼ିଥାନ୍ତି | ତାଙ୍କର କେଶ ଏକ ଟାଣୁଆ ଖୋସାରେ ବନ୍ଧା ହୋଇଥାଏ , ସେ ଚିଡ଼ି ଯାଇଥିବା ପରି ମନେ ହେଉଥାଏ |

" ଆପଣ କେମିତି ଚିହ୍ନିଲେ ମୋତେ ? " -- ସେ ପଚାରିଲେ |




" ପ୍ରିୟ ଗୁରୁମା , ମୁଁ ଏତେ ବିଲେଇ ଦେଖିଛି ଜୀବନରେ , ବିଲେଇମାନେ ଏମିତି କଠୋର ଭଙ୍ଗୀରେ ବସନ୍ତି ନାହିଁ | "

" ଆପଣ ବି ଗୋଟେ ବାଡ଼ମୂଳରେ ଦିନସାରା ବସିଲେ ଆପଣଙ୍କ ଅଙ୍ଗ ଭଙ୍ଗୀ ଏମିତି ହୋଇଯିବ | " -- କହିଲେ ଗୁରୁ ମାଗୁଣିଲାଲ୍ |

" ପୂରା ଦିନ ? ଆପଣ ଟିକେ ଖୁସୀ ବି ତ ମନେଇ ପାରିଥାଆନ୍ତେ ? ମୁଁ ନିଜେ ଏଠାକୁ ଆସୁ ଆସୁ ଡଜନେ ଖଣ୍ଡେ ଭୋଜି ଖାଇକି ଆସିଥିବି | "

ଗୁରୁ ମାଗୁଣିଲାଲ୍ ରାଗରେ ଏକ ଦୀର୍ଘ ନିଃଶ୍ବାସ ପକାଇଲେ |

" ହଁ ... ହଁ ... ସମସ୍ତେ ତ ଖାଲି ଉତ୍ସବ ମନଉଛନ୍ତି ଆଜି , ଭଲ କଥା "  , ସେ କହି ଉଠିଲେ ଅଧୈର୍ଯ୍ୟ ହୋଇ , " ଆପଣଙ୍କର ଭାବିବା କଥା ଯେ ସେମାନଙ୍କୁ ଟିକେ ଅଧିକ ସାବଧାନ ହେବା ଉଚିତ୍ , କିନ୍ତୁ ନାଁ -- ଏମିତି କି ମୁଗଲମାନେ ମଧ୍ୟ ଜାଣି ଗଲେଣି କି କିଛି ଗୋଟେ ଘଟିଯାଇଛି | ସେମାନଙ୍କ ସମାଚାରରେ ଆସିଗଲାଣି କଥାଟା | " ସେ ହଠାତ୍ ମୁଣ୍ଡ ବୁଲାଇ ଦୁର୍ଷାଳବାବୁଙ୍କ ବୈଠକ ଘରର ଝରକା ଆଡ଼େ ଦେଖିଲେ | " ମୁଁ ନିଜ କାନରେ ଶୁଣିଲି | ପଲ ପଲ ଉଲ୍ଲୁକ ... ଉଲକାପାତ ... ଆଛ୍ଛା ଦେଖନ୍ତୁ , ସେମାନେ ସମ୍ପୂର୍ଣ୍ଣ ମୂର୍ଖ ତ ନୁହନ୍ତି -- ଏସବୁ ଘଟଣା ଯାହା ହେଲେ ବି ସେମାନଙ୍କ ନଜରରେ ଆସିବ | କାଶ୍ମୀରରେ ଉଲକାପାତ -- ମୁଁ ବାଜି ଲଗେଇ କି କହିବି ଯେ ଏଇଟା ଦାରୁବ୍ରହ୍ମ ଦଳବେହେରାର କାମ , ଟିକିଏ ବି କାଣ୍ଡଜ୍ଞାନ ନାହିଁ ତାର |"

"ତାକୁ ଦୋଷ ଦେଇ ଲାଭ କ'ଣ ?" ଡମ୍ବରୁଧର କହିଲେ ଶାନ୍ତ ସ୍ବରରେ , " ଗତ ଏଗାର ବର୍ଷରେ ଆମେମାନେ କେତେଟା ଉତ୍ସବ ପାଳିଛନ୍ତି ଟିକେ ଭାବିଲେ ଭଲା | "

" ମୁଁ ବୁଝୁଛି " , ଗୁରୁ ମାଗୁଣିଲାଲଙ୍କ ସ୍ବରରେ ବିରକ୍ତି , " କିନ୍ତୁ ତା' ମାନେ ନୁହେଁ ଯେ ଆମେମାନେ କାଣ୍ଡଜ୍ଞାନ ହରାଇ ବସିବା | ଆମ ଲୋକମାନେ ନିତ୍ୟନ୍ତ ଅସାବଧାନ ହୋଇଗଲେଣି , ଦିନ ଦିପହରେ ରାସ୍ତାରେ ବୁଲୁଛନ୍ତି ଚାଦର ଘୋଡ଼ି , ମୁଗଲମାନଙ୍କ ପରି ଲୁଗାପଟା ବି ପିନ୍ଧିବାର ନାହିଁ , ବହେ ଫୁସ୍-ଫାସ୍ କଥା -- ବହେ ଗୁଜବ | "

ସେ ଡମ୍ବରୁଧରଙ୍କ ଆଡ଼େ ଥରେ ଅନେଇଲେ ବିରକ୍ତିରେ , କଣେଇ କଣେଇ ଦେଖୁଥାନ୍ତି ଡମ୍ବରୁଧରଙ୍କୁ , ଆଶା କରୁଥାନ୍ତି କି ଡମ୍ବରୁଧର କିଛି କହିବେ ଏ ବିଷୟରେ , କିନ୍ତୁ ଡମ୍ବରୁଧର କିଛି କହିଲେ ନାହିଁ | ତେଣୁ ସେ କହିଚାଲିଲେ , " ଭାରି ଭଲ କଥାଟିଏ ହେବ କି ଯେଉଁ ଦିନ ଆପଣ-ଜାଣିଛନ୍ତି-କିଏ ଶେଷରେ କୁଆଡ଼େ ଗାଏବ ହେଇଗଲା , ଠିକ୍ ସେଇ ଦିନ ମୁଗଲମାନେ ଆମ ବିଷୟରେ ଜାଣିଗଲେ , ନୁହେଁ ? ତେବେ ଆପଣ କ'ଣ ଭାବୁଛନ୍ତି -- ସେ ସତରେ ଗାଏବ ହେଇଯାଇଛି ? "

" ହଁ , ସେଇଆ ତ ଲାଗୁଛି , " ଡମ୍ବରୁଧର କହିଲେ | " ଆମେ ଏଥିପାଇଁ କୃତଜ୍ଞ ହେବା କଥା | ଆପଣ ଗୋଟେ ଲେବନଚୁଷ୍ ଖାଇବେ ? "

" ଗୋଟେ କ'ଣ ? "

" ଗୋଟେ ଲେବନଚୁଷ୍ | ସେଇଟା ଏକପ୍ରକାର ମିଠା , ମୁଗଲମାନେ ଖାଆନ୍ତି -- ମୋତେ ଭାରି ଭଲ ଲାଗେ | "

" ନାଁ ଥାଉ , ଧନ୍ୟବାଦ |" ଗୁରୁ ମାଗୁଣିଲାଲଙ୍କୁ ଲାଗୁ ନଥିଲା ଯେ ଏଇଟା ଲେବନଚୁଷ୍ ଖାଇବାର ସମୟ | "ମୁଁ କହୁଥିଲି କି , ଯଦିଓ ଆପଣ-ଜାଣିଛନ୍ତି-କିଏ ଗାଏବ ହେଇଯାଇଛି -- "

" ଆରେ ମହାଶୟା ଗୁରୁମା , ଆପଣଙ୍କ ଭଳି ଜ୍ଞାନୀ , ଗୁଣୀ , ବିଚକ୍ଷଣ ବ୍ୟକ୍ତି ତ ତାକୁ ତା'ର ଅସଲ ନାଁ ଧରି ଡାକି ପାରିବ ? ଏଇ ସବୁ 'ଆପଣ-ଜାଣିଛନ୍ତି-କିଏ' , 'ତୁମେ-ଜାଣିଛ-କିଏ' ବାଜେକଥା -- ମୁଁ ଏଗାର ବର୍ଷ ହେଲା ଲୋକଙ୍କୁ ବୁଝେଇବାକୁ ଚେଷ୍ଟା କରୁଛି କି ତାକୁ ତା ଅସଲ ନାଁ ଧରି ଡାକ -- 'ମତ୍ତମୃତ୍ୟୁ' " | ସେ ନାମ ଶୁଣି ମାଗୁଣିଲାଲ୍ ଥରି ଉଠିଲେ , ଅନ୍ତର ଶୀତେଇଗଲା ତାଙ୍କର , କିନ୍ତୁ ଡମ୍ବରୁଧର ତାହା ଦେଖିପାରିଲେ ନାହିଁ , ସେ ଦୁଇଟା ଲେବନଚୁଷ୍ ଖୋଲିବାରେ ବ୍ୟସ୍ତ ଥାଆନ୍ତି | " ଏସବୁ 'ଆପଣ-ଜାଣିଛନ୍ତି-କିଏ' , 'ତୁମେ-ଜାଣିଛ-କିଏ' ଇତ୍ୟାଦି -- ବଡ଼ ବିଭ୍ରାନ୍ତିକର | ମତ୍ତମୃତ୍ୟୁର ନାଁ କୁ ଡରିବାରେ କ'ଣ ଅବା କାରଣ ଅଛି ? ମୋତେ ତ କେବେ ମତ୍ତମୃତ୍ୟୁର ନାଁ ନେବାରେ ଭୟ ଲାଗେନି | "

" ମୁଁ ଜାଣିଛି କି ଆପଣ ଡରନ୍ତି ନାହିଁ " -- ମାଗୁଣିଲାଲ୍ ବୁଝିପାରୁ ନଥିଲେ କି ସେ ଡମ୍ବରୁଧରଙ୍କ ବ୍ୟବହାରରେ ହତାଶ ହେବା ଉଚିତ୍ ଅଥବା ତାଙ୍କର ତାରିଫ କରିବା ଉଚିତ୍ | "ହେଲେ ଆପଣଙ୍କ କଥା ଅଲଗା | ସମସ୍ତେ ଜାଣନ୍ତି କି ଆପଣ-ଜାଣିଛନ୍ତି-- ହଉ , ଠିକ୍ ଅଛି -- ମତ୍ତମୃତ୍ୟୁ -- ସମସ୍ତେ ଜାଣିଛନ୍ତି କି ମତ୍ତମୃତ୍ୟୁ କେବଳ ଆପଣଙ୍କୁ ହିଁ ଭୟ କରୁଥିଲା | "

" ଆପଣ ବେକାର ମୋର ପ୍ରଶଂସା କରୁଛନ୍ତି ," ଶାନ୍ତ ସ୍ବରରେ କହିଲେ ଡମ୍ବରୁଧର , "ମତ୍ତମୃତ୍ୟୁ ପାଖରେ ଏମିତି ଶକ୍ତି ଥିଲା ଯାହାକି ମୁଁ କେବେ ପାଇବି ନାହିଁ | "

" କାରଣ ଆପଣଙ୍କ ଭଳି ମହାନ ଆଉ ଚରିତ୍ରବାନ୍ ବ୍ୟକ୍ତି କେବେ ବି ସେମିତି ଶକ୍ତି ଖୋଜିବ ନାହିଁ କି ବ୍ୟବହାର କରିବ ନାହିଁ |"

" ସୌଭାଗ୍ୟର କଥା ଯେ ଏବେ ଅନ୍ଧାର ଅଛି | ପପି ଦିଦି ଥରେ ମୋତେ କହିଥିଲେ କି ତାଙ୍କୁ ମୋ ମଫଲରଟି ଭାରି ପସନ୍ଦ | ମୁଁ ତା' ପରଠୁ କେବେ ଏତେ ଲାଜେଇ ନ ଥିଲି | "


[ ଏଠାରେ ପଢନ୍ତୁ ଭାଗ -  ]


ମୂଳ ରଚନା - ଜେ. କେ. ରାଓଲିଂ

ଅନୁବାଦ - ଗଣେଶ