ହରି ପାତ୍ର ଓ ଗୁଣିଆ ପଥର (ଭାଗ - ୮)



[ଏଠାରେ ପଢନ୍ତୁ ଭାଗ - ୭]

ହରି ପିଠାକୁ ଚୂଲିରୁ ଓହ୍ଲାଇ ଅଣ୍ଡା ଦୁଇଟା ଭାଜୁଥିବା ବେଳେ ଦୁଦୁଲି ତା'ର ମା ସହିତ ରୋଷେଇଘର ଭିତରକୁ ପଶି ଆସିଲା | ଦୁଦୁଲି ଦେଖିବାକୁ ଠିକ୍‍ ବାଣାସୁର ମଉସାଙ୍କ ଭଳି | ବିରାଟକାୟ ଗୋଲାପି ମୁହଁଟି କାନ୍ଧ ଉପରେ ଥୁଆ, ଛୋଟ ଛୋଟ ନୀଳବର୍ଣ୍ଣ ଆଖି ଏବଂ ମୋଟା ଚର୍ବିଳ ମୁଣ୍ଡଟି ଉପରେ ଝୋଟ ପରି ଗହନ କେଶ | ପୁତନା ମାଉସୀଙ୍କ ମତରେ ଦୁଦୁଲି ଦେଖିବାକୁ କୁନି ଦେବଦୂତଟିଏ ପରି -- ହରି ମତରେ ଝୋଟ ମୁଣ୍ଡିଆ ଘୁଷୁରି ପରି |

ହରି ପିଠା ଓ ଅଣ୍ଡାକୁ ଗୋଟିଏ ଥାଳିରେ ନେଇ ଟେବୁଲ ଉପରେ ରଖିବା ପାଇଁ ଗଲା , କିନ୍ତୁ ଟେବୁଲ ଉପରେ ଆଉ ବେଶୀ ଜାଗା ନଥାଏ | ସେତେବେଳକୁ ଦୁଦୁଲି ତା'ର ଜନ୍ମଦିନ ଉପହାରଗୁଡ଼ିକ ଗଣୁଥାଏ | ହଠାତ୍‍ ଦୁଦୁଲିର ମୁହଁ ଶୁଖିଗଲା |

" ଛତିଶ ," ବାପ-ମା'ଙ୍କ ଆଡ଼କୁ ଅନାଇ କହିଲା ଦୁଦୁଲି , " ଗତବର୍ଷ ଠାରୁ ଦୁଇଟା କମ୍‍ |"

" ଧନ , ତୁମେ ମାର୍ଗୀ ପିଉସୀଙ୍କ ଉପହାରଟିକୁ ଗଣି ନାହଁ , ଦେଖ , ଏଇ ଯେଉଁଟି ବାବା ଓ ମାମାଙ୍କ ବଡ଼ ଉପହାରଟି ତଳେ ଲୁଚିକି ରହିଯାଇଛି |"

" ହଉ ହେଲା , ସଇଁତିରିଶ ତା' ହେଲେ ," ଦୁଦୁଲିର ମୁହଁ ଲାଲ ପଡ଼ି ଆସୁଥାଏ |

ହରି ଦୁଦୁଲିର ହାବଭାବ ସହିତ ପୂର୍ବରୁ ପରିଚିତ; ସେ ଜାଣିପାରୁଥାଏ ଯେ ସେତେବେଳେ ଦୁଦୁଲି ଗୋଟେ ରଡ଼ି ଛାଡ଼ିବାର ସମ୍ଭାବନା ପ୍ରଚୁର | ଦୁଦୁଲି ରାଗରେ ଟେବୁଲ୍‍ ଓଲଟାଇଦେବା ଭୟରେ ହରି ଭୋକିଲା ବାଘ ପରି ନିଜ ଭାଗ ପିଠାଟାକୁ ଜଲଦି ଜଲଦି ଖାଇନେଲା |

ପୁତନା ମାଉସୀ ମଧ୍ୟ ଆସୁ ବିପଦର ଗନ୍ଧ ବାରି ପାରୁଥାନ୍ତି , ତେଣୁ ସେ ସଙ୍ଗେ ସଙ୍ଗେ କହି ଉଠିଲେ , " ଆଉ ଆଜି ଆମେ ବଜାରକୁ ଗଲେ ତୁମ ପାଇଁ ଆଉ ଦୁଇଟା ଉପହାର କିଣି ଆଣିବା , ନାଁ କ'ଣ ପୁତ୍ରମଣି ? ଆଉ ଦୁଇଟା ଉପହାର , ଠିକ୍‍ କହିଲି ନା ନାହିଁ ? " ଦୁଦୁଲି କ୍ଷଣକ ପାଇଁ ବସି ଭାବିଲା | ଚିନ୍ତାକରି କୌଣସି ନିଷ୍ପତ୍ତି ନେବା ବଡ଼ କଠିନ କାମ | ଶେଷରେ ସେ ଧିରେ ଧିରେ କହିଲା , " ତା'ହେଲେ ମୋ ପାଖରେ ହେବ ... ତିରିଶି ଯୁକ୍ତ ... ତିରିଶି ଯୁକ୍ତ ... "

" ଅଣଚାଳିଶି , ମୋ ଧନ, " ପୁତନା ମାଉସୀ ବତାଇଦେଲେ |

" ଓହୋ ", ଦୁଦୁଲି ବସିପଡ଼ି ହାତପାଖରେ ଥିବା ଉପହାରଟି ଖୋଲିବାରେ ଲାଗିଗଲା , " ଆଛ୍ଛା ଠିକ୍‍ ଅଛି ତା'ହେଲେ " |

ବାଣାସୁର ମାମୁଁ କୁରୁଳି ଉଠିଲେ | " କୁନି ପହିଲମାନର ଉପହାରରେ ଗୋଟିଏ ପଇସା ବି କମ୍‍ ହେଲେ ଚଳିବ ନାହିଁ , ଠିକ୍‍ ବାପା ଭଳି ଗୁଣ ଆଣିଛି ମୋ ପୁଅ | ଚମତ୍କାର ପିଲା ମୋ ଦୁଦୁ୍ଲି !" ସେ ଆବେଗରେ ଦୁଦୁଲିର ମୁଣ୍ଡ ସାଉଁଳାଇଲେ |

ଏହି ସମୟରେ ଟେଲିଫୋନର ଘଣ୍ଟି ବାଜି ଉଠିଲା ଏବଂ ପୁତନା ମାଉସୀ ଫୋନ ଉଠାଇବା ପାଇଁ ଚାଲିଗଲେ | ହରି ଓ ବାଣ ମଉସା ବସି ଦୁଦୁଲିର ଉପହାର ଖୋଲା ପର୍ବ ଦେଖୁଥାନ୍ତି | ଦୁଦୁଲି ଗୋଟିଏ ରେସିଂ ସାଇକେଲ , ଗୋଟିଏ ଭିଡିଓ କ୍ୟାମେରା , ଗୋଟେ ରିମୋଟ ଚାଳିତ ଖେଳନା ଉଡ଼ାଜାହାଜ , ଷୋଳଟା ନୂଆ ଭିଡିଓଗେମ୍‍ , ଗୋଟେ ଭି.ସି.ଆର ଖୋଲି ପକାଇଲା | ସେ ଗୋଟେ ସୁନା ହାତଘଣ୍ଟାକୁ ଖୋଳରୁ ଖୋଲୁଥାଏ ପୁତନା ମାଉସୀ ଫୋନ ପାଖରୁ ଫେରି ଆସିଲେ , ଭାରି ଚିନ୍ତିତ ଓ କ୍ରୋଧିତ ଲାଗୁଥାନ୍ତି |

" ଦୁଃସମ୍ବାଦ , ଘୋର ଦୁଃସମ୍ବାଦ ବାଣ ", ପୁତନା ମାଉସୀ ହରି ଆଡ଼କୁ ମୁହଁ ବୁଲାଇ କହିଲେ , " ଶ୍ରୀମତି ପାଢ଼ୀଙ୍କ ଗୋଡ଼ ଭାଙ୍ଗି ଯାଇଛି , ସେ ୟାକୁ ନେଇ ସମ୍ଭାଳି ପାରିବେ ନାହିଁ |"

ଦୁଦୁଲି ହତବାକ୍‍ ହୋଇ ଆଁ କରି ଅନାଇଥାଏ , କିନ୍ତୁ ହରିର ମନ ଆନନ୍ଦ | ଫି ବର୍ଷ ଦୁଦୁଲିର ଜନ୍ମଦିନରେ ମଉସା-ମାଉସୀ ଦୁଦୁଲି ଆଉ ତା'ର ଜଣେ ସାଙ୍ଗକୁ ନେଇ ବୁଲିବାକୁ ଯାଆନ୍ତି -- ମେଳା-ମହୋତ୍ସବ,  ଉଦ୍ୟାନ , ସିନେମାଘର , ବଣଭୋଜି ଇତ୍ୟାଦି | ହରିକୁ ଶ୍ରୀମତି ପାଢୀଙ୍କ ଘରେ ଛାଡ଼ି ଦେଇ ଯାଆନ୍ତି -- ପାଖ ସାହିରେ ଏକାକି ରହୁଥିବା ଦରପାଗଳି ବୁଢୀ | ହରି ସେଠାକୁ ଯିବାପାଇଁ ଘୃଣା କରେ | ଘରଯାକ ବନ୍ଧାକୋବିର ଗନ୍ଧ ଏବଂ ପୋଷା ବିଲେଇମାନଙ୍କ ଫଟୋଚିତ୍ରରେ ଭରା ; ଶ୍ରୀମତି ପାଢ଼ୀ ହରିକୁ ସେଇ ଫଟୋଗୁଡ଼ିକ ଦେଖାନ୍ତି |

" ଏବେ କ'ଣ କରିବା ? " ପୁତନା ମାଉସୀ ହରି ଆଡ଼କୁ ରାଗରେ ଅନାଇ କହିଲେ , ଯେମିତିକି ଏସବୁ ଦୁଃସମ୍ବାଦ ପାଇଁ ହରି ହିଁ ଦାୟୀ | ହରି ବୁଝିପାରୁଥାଏ ଯେ ଶ୍ରୀମତି ପାଢ଼ୀଙ୍କର ଗୋଡ଼ ଭାଙ୍ଗିବା ଘଟଣା ଉପରେ ତା'ର ଦୁଃଖ ପ୍ରକାଶ କରିବା ଉଚିତ୍‍ , କିନ୍ତୁ ସେ ଦୁଃଖୀ ହେବା ବଦଳରେ ନିଜ ଖୁସୀ ସମ୍ଭାଳି ପାରୁ ନଥାଏ -- କାରଣ ଏବେ ତା'କୁ ଆଉ ଗୋଟେ ବର୍ଷ ପର୍ଯ୍ୟନ୍ତ ଶଙ୍ଖି , ଶଙ୍କରି , ଠୁମୁରୀ , ପାଉ-ପାଉ , ତୋଫେଇ ଆଦିଙ୍କ ମୁହଁ ଦେଖିବାକୁ ପଡ଼ିବ ନାହିଁ |

" ମାର୍ଗୀକୁ ଫୋନ କରିବା କି ? " ପ୍ରସ୍ତାବ କଲେ ବାଣାସୁର ମଉସା , ମାର୍ଗେଶ୍ବରୀ ଦୁର୍ଷାଳ ତାଙ୍କର ଭଉଣୀ |

" ବୋକାଙ୍କ ଭଳି କଥା କୁହନି ବାଣାସୁର , ମାର୍ଗେଶ୍ବରୀ ଏ ପିଲାକୁ ଘୃଣା କରନ୍ତି | "

ଦୁର୍ଷାଳ ପରିବାର ହରି ବିଷୟରେ ଏହି ଭଳି ହିଁ କଥା ହୁଅନ୍ତି -- ଯେପରିକି ହରି ସେଠାରେ ନାହିଁ -- ଅଥବା ଯେପରିକି ହରି ଗୋଟେ ମଣିଷ ନୁହେଁ ପୋକ ; ଆଉ ତା'ର ବୋଧଶକ୍ତି ନାହିଁ |

" ଆଛ୍ଛା , ତୁମର ସେଇ ବାନ୍ଧବୀ , କ'ଣ ଟି ତା'ର ନାଁ -- ଯବନୀ ? "

" ସିଏ ଛୁଟିରେ ମୟୁରଭଞ୍ଜ ଯାଇଛି ବୁଲିବା ପାଇଁ |" ପୁତନା ମାଉସୀ ବିରକ୍ତିଭରା କଣ୍ଠରେ କହି ଉଠିଲେ |

" ଆପଣମାନେ ମୋତେ ଘରେ ଛାଡ଼ିକି ଚାଲି ଯାଆନ୍ତୁ |" ହରି ଆଶବାଦୀ ହୋଇ କହିଲା | ( ଏପରି ହେଲେ ସେ ଘରେ ରହି ଅନ୍ତତଃ ନିଜ ପସନ୍ଦର କାର୍ଯ୍ୟକ୍ରମ ଦେଖିପାରିବ ଟେଲିଭିଜନରେ , ଅଥବା ଦୁଦୁଲିର କମ୍ପ୍ୟୁଟରରେ  କିଛି ଖେଳି ପାରିବ )

ପୁତନା ମାଉସୀ ତା'କୁ ଏମିତି ଅନେଇଲେ ଯେମିତିକି ସେ ଗୋଟା ଲେମ୍ବୁଟିଏ ଗିଳିଦେଇଛନ୍ତି , " ଆଉ ଘରକୁ ଫେରିଲା ବେଳକୁ ଏଠି ତୋ'ର କାଣ୍ଡ କୀର୍ତ୍ତି ଦେଖିବା ପାଇଁ ? "

" ମୁଁ ଘରେ କିଛି ଭଙ୍ଗାରୁଜା କରିବି ନାହିଁ " -- କିନ୍ତୁ ହରିର କଥା କେହି ଶୁଣୁ ନଥାନ୍ତି |

" ମୁଁ ଭାବୁଛି ତା'କୁ ସାଙ୍ଗରେ ଚିଡ଼ିଆଖାନା ନେଇ ଯିବା ଠିକ୍‍ ହେବ ", ପୁତନା ମାଉସୀ ଧିରେ ଧିରେ କହିଲେ , " ... ଆଉ ତା'କୁ ଗାଡ଼ିରେ ହିଁ ଛାଡ଼ି ଦେବା ... "

" ଗାଡ଼ିଟା ନୂଆ , ମୁଁ ତା'କୁ ଏକୁଟିଆ ଗାଡ଼ିରେ ବସିବାକୁ ଦେବି ନାହିଁ ..."

ଦୁଦୁଲି ଜୋରରେ ରଡ଼ି ଛାଡ଼ିବାକୁ ଲାଗିଲା | ପ୍ରକୃତପକ୍ଷେ ସେ କାନ୍ଦୁ ନଥିଲା -- ବହୁତ ବର୍ଷ ହେଲା ଦୁଦୁଲି ସତରେ କେବେ କାନ୍ଦି ନଥିଲା -- କିନ୍ତୁ ସେ ଜାଣିଥିଲା ଯେ ମୁହଁ ବିକୃତ କରି ରଡ଼ି ଛାଡ଼ି ମାଗିଲେ ତା'ର ମା ତା'କୁ କିଛି ବି ଦେଇ ଦେବେ |

" ଡିଙ୍କି ଦୁଦିଦମ୍‍ , ମୋ ଧନ, କାନ୍ଦନା , କାନ୍ଦନା , ମାମା ତା'କୁ ତୁମର ଜନ୍ମଦିନ ଖରାପ କରିବାକୁ ଦେବେ ନାହିଁ  !" ପୁତନା ମାଉସୀ ଦୁଦୁଲିକୁ ଦୁଇ ହାତରେ ଘୋଡ଼ାଇ ଧରି କହିଲେ |

" ମୁଁ ... ଚାହୁଁନି ... କି ... ସିଏ ... ଆସୁ !" ଦୁଦୁଲି ନାଟକୀୟ ଭଙ୍ଗୀରେ ବଡ଼ ବଡ଼ କୋହ ମଝିରେ ରହି ରହି କହିଲା | " ସିଏ ସବୁବେଳେ ସବୁକିଛି ନଷ୍ଟ କରିଦିଏ !" ମା'ର ହାତ ମଝିରୁ ହରି ଆଡ଼କୁ ଅନାଇ କହିଲା ଦୁଦୁଲି , ଓଠରେ ତା'ର ଏକ ବିକୃତ ହସ |

ଠିକ୍‍ ସେହି ସମୟରେ ଦୁଆର ଘଣ୍ଟି ବାଜି ଉଠିଲା -- " ହେ ଭଗବାନ୍‍ , ସେମାନେ ଆସି ଗଲେ !" ପୁତନା ମାଉସୀ ହଡ଼ବଡ଼ ହୋଇ ଉଠି ଚାଲିଗଲେ -- କ୍ଷଣକ ପରେ ଦୁଦୁଲିର ସବୁଠାରୁ ଭଲ ସାଙ୍ଗ ପାରଶ ପଲେଇ ଆଉ ତା'ର ମା' ଘର ଭିତରକୁ ପଶି ଆସିଲେ | ପାରଶ ପତଳା ହୋଇ ପିଲାଟିଏ , ମୂଷିକ ପରି ମୁଖ | ସାଧାରଣତଃ ପାରଶ ପିଲାମାନଙ୍କ ହାତକୁ ପିଠିପଟେ ମୋଡ଼ି ଧରେ ଆଉ ଦୁଦୁଲି ସେମାନଙ୍କୁ ପିଟେ | ଦୁଦୁଲିର କାନ୍ଦିବା ନାଟକ ଏକା ବେଳକେ ବନ୍ଦ ହୋଇଗଲା |




ଅଧ ଘଣ୍ଟାଏ ପରେ , ହରି ନିଜ ଭାଗ୍ୟକୁ ବିଶ୍ବାସ କରିପାରୁ ନଥିଲା , କିନ୍ତୁ ସେ ଦୁର୍ଷାଳବାବୁଙ୍କ କାର୍‍ର ପଛ ସିଟରେ ଦୁଦୁଲି ଏବଂ ପାରଶ ମଝିରେ ବସି ଚିଡ଼ିଆଖାନା ବୁଲିବା ପାଇଁ ଯାଉଥିଲା -- ତା' ଜୀବନରେ ଏଭଳି ଘଟଣା ପ୍ରଥମ | ତା'ର ମଉସା-ମାଉସୀ ତା'କୁ କେଉଁଠି ଛାଡ଼ି ଯିବେ ତାହା ଠିକ୍‍ କରିପାରି ନଥି୍ଲେ |  କିନ୍ତୁ ଯିବା ପୂର୍ବରୁ ବାଣାସୁର ମଉସା ହରିକୁ ଘରର ଗୋଟେ କୋଣକୁ ଡାକି ନେଇ କହିଥି୍ଲେ --

" ମୁଁ ତୋତେ ଏବେଠୁ କହି ରଖୁଛି ," ରାଗରେ ବାଣାସୁର ମଉସାଙ୍କ ମୁହଁ ବାଇଗଣୀ ପଡ଼ିଯାଇଥିଲା ସେତେବେଳକୁ , " ମୁଁ ଏବେଠୁ କହି ରଖୁଛି , ସତର୍କ କରି ଦେଉଛି , ଶୁଣିନେ -- କିଛିବି ଅଜବ କାରବାର , କିଛିବି -- ତୁ ସେ ଶିଡି ତଳ କୋଠରୀରେ ନୂଆବର୍ଷ ଯାଏ ବନ୍ଦ ହୋଇ ରହିବୁ  |"

" ମୁଁ କିଛି ବି କାରବାର କରିବିନି ," ହରି କହିଲା , " ସତ କହୁଛି ... "

କିନ୍ତୁ ବାଣାସୁର ମଉସା ହରିକୁ ବିଶ୍ବାସ କଲେ ନାହିଁ -- କେହି କେବେ ହରିକୁ ବିଶ୍ବାସ କରି ନାହାନ୍ତି ଏ ଘରେ | 


[ ଏଠାରେ ପଢନ୍ତୁ ଭାଗ - ୯ ] 



ମୂଳ ରଚନା - ଜେ. କେ. ରାଓଲିଂ
ଅନୁବାଦ - ଗଣେଶ