[ଏଠାରେ ପଢନ୍ତୁ ଭାଗ - ୬]
-- ଦ୍ବିତୀୟ ଅଧ୍ୟାୟ --
ବିଲୀୟମାନ କାଚ ପ୍ରସଙ୍ଗ
ଶ୍ରୀମତି ଦୁର୍ଷାଳ ସକାଳୁ ଉଠି ପୁତୁରା ହରିକୁ ଦୁଆର ମୁହଁରୁ ପାଇବା ପରଠାରୁ ଦଶ ବର୍ଷ ବିତି ଗଲାଣି ; କିନ୍ତୁ ପ୍ରଭାତ ସାହିରେ କୌଣସି ପରିବର୍ତ୍ତନ ହୋଇ ନାହିଁ , ଦଶ ବର୍ଷ ତଳେ ଯେମିତି ଥିଲା ଆଜି ବି ସେମିତି ଅଛି | ଆଜି ମଧ୍ୟ ଦୁର୍ଷାଳବାବୁଙ୍କ ଘର ସାମନା ବଗିଚା ଉପରେ ସୂର୍ଯ୍ୟୋଦୟ ହେଲା , ଦୁର୍ଷାଳବାବୁଙ୍କ ଦୁଆର ଉପରେ ଲାଗିଥିବା ତାମ୍ର ଫଳକ (ଯେଉଁଥିରେ 'ଘର ସଂଖ୍ୟା - ୪' ଲେଖାଯାଇଥାଏ) ସେହି ସୂର୍ଯ୍ୟାଲୋକରେ ଆଲୋକିତ ହେଲା , ସେହି ଆଲୋକ ଧିରେ ଧିରେ ବାବୁଙ୍କ ବୈଠକ ଘରେ ପଶିଲା -- ଦଶ ବର୍ଷ ପୂର୍ବେ ଯେଉଁଠି ବସି ଦୁର୍ଷାଳବାବୁ ଉଲ୍ଲୁକ ଓ ଉଲକାପାତ ସମ୍ପର୍କିତ ସେହି ନିୟତିନିର୍ଣାୟକ ସମାଚାରଟି ଶୁଣିଥିଲେ | କେବଳ କାନ୍ଥରେ ଟଙ୍ଗାହୋଇଥିବା ଫଟୋଚିତ୍ରଗୁଡ଼ିକ ବ୍ୟତିତ ଆଉ କିଛି ବଦଳି ନଥାଏ -- ସହଜରେ ଜଣାଯାଉ ନଥାଏ କି ଦଶ ବର୍ଷ ଅତିକ୍ରାନ୍ତ ହୋଇ ଗଲାଣି |
ଦଶ ବର୍ଷ ପୂର୍ବେ କାନ୍ଥରେ ଟଙ୍ଗା ହୋଇଥିବା ଛବିଗୁଡ଼ିକରେ ଥିଲା ଏକ ବିଶାଳ ଗୋଲାପି ବେଲୁନ ପରି ପିଲାଟିଏ , ରଙ୍ଗ ବେରଙ୍ଗର ପୋଷାକ ଆଉ ଟୋପି ପରିହିତ -- କିନ୍ତୁ ଆଜି ଦୁଦୁଲି ଦୁର୍ଷାଳ ଆଉ ଶିଶୁ ହୋଇ ନାହିଁ , ଏବଂ ଏବର ଛବିଗୁଡ଼ିକରେ ଥାଏ ଏକ ବିଶାଳକାୟ ସ୍ବର୍ଣବର୍ଣ୍ଣୀ ବାଳକ , କେଉଁ ଛବିରେ ସେ ତାର ପ୍ରଥମ ସାଇକେଲଟି ଚଲାଉଥାଏ ତ କେଉଁଥିରେ ସେ ମେଳାରେ ଦୋଳି ଖେଳୁଥାଏ , କେଉଁଥିରେ ସେ ତା'ର ପିତାଙ୍କ ସହିତ କମ୍ପ୍ୟୁଟରରେ ଖେଳୁଥାଏ ତ କେଉଁଥିରେ ମା କୋଳରେ ବସି ହସୁଥାଏ |
କୋଠରିଟିରେ କୌଣସି ଆଭାସ ନଥାଏ କି ସେହି ଘରେ ଆଉ ଜଣେ ବାଳକ ମଧ୍ୟ ରହୁଛି |
କିନ୍ତୁ ହରି ପାତ୍ର ଆଜି ପ୍ରଭାତରେ ବି ସେହି ଘରେ ଅଛି , ଏହି ମୂହୁର୍ତ୍ତରେ ଗଭୀର ନିଦ୍ରାରେ ଶାୟୀତ ; କିନ୍ତୁ ଆଉ ଅଧିକ ସମୟ ପାଇଁ ନୁହେଁ | ପୁତନା ମାଉସୀ ଉଠି ସାରିଥିଲେ ଏବଂ ତାଙ୍କର ଉଗ୍ର କଣ୍ଠସ୍ବର ସକାଳର ଶାନ୍ତ ନୀରବତାକୁ ଭଙ୍ଗ କରି ସାରିଥିଲା କିଛି ସମୟ ପୂର୍ବରୁ |
" ଉଠ୍ ! ଉଠିଯା ! ଜଲଦି ଉଠ୍ ଏବେ ! "
କୋଠରିଟିର କବାଟରେ ମାଉସୀଙ୍କର ବାରବାର କରାଘାତ , ଶେଷରେ ହରିର ନିଦ୍ରାଭଙ୍ଗ ହେଲା |
" ଉଠ୍ !" ସେ ଚିତ୍କାର କଲେ ଆଉଥରେ | ହରି ତାଙ୍କୁ ରୋଷେଇଘର ଆଡ଼େ ଚାଲି ଯିବାର ଶୁଣିଲା , କିଛି ସମୟ ପରେ ଚୂଲିରେ ତାଵା ବସାଇବାର ଶବ୍ଦ | ସେ ଅଳସ ଭାଙ୍ଗି ଉଠି ବସିଲା ଏବଂ ରତିରେ ଦେଖିଥିବା ସ୍ବପ୍ନଟି ମନେପକାଇବାକୁ ଚେଷ୍ଟା କଲା | ଭଲ ସ୍ବପ୍ନଟିଏ ଥିଲା ସେଇଟି | ସେହି ସ୍ବପ୍ନରେ ଉଡ଼ନ୍ତା ମୋଟରସାଇକେଲଟିଏ ଥିଲା | ତା'ର ଏକ ବିଚିତ୍ର ଅନୁଭୂତି ହେଉଥାଏ କି , ସେ ସେହି ସ୍ବପ୍ନଟି ପୂର୍ବରୁ କେବେ ଦେଖିଛି |
ପୁତନା ମାଉସୀ ପୁଣି ଥରେ କୋଠରି ସାମ୍ନାକୁ ଆସିଲେ |
" ଉଠିଲୁ ନା ନାହିଁ " ସେ ଚିତ୍କାର କଲେ ଆଉ ଥରେ |
" ହଁ " , କହିଲା ହରି |
" ତା' ହେଲେ ଜଲଦି ଉଠିକି ଆସ୍ | ମୁଁ ଚୂଲିରେ ପିଠା ବସେଇ ଆସିଛି , ଦେଖିବୁ ଯେମିତି ପୋଡ଼ି ନଯାଏ | ଦୁଦୁଲିର ଜନ୍ମଦିନରେ ସବୁ କିଛି ଏକଦମ ଠିକ୍ ଠାକ୍ ହେବା ଦରକାର , ନହେଲେ ଦେଖିବୁ | "
ହରି ଉଠି ପଡ଼ି ବିଳିବିଳେଇଲା କିଛି |
" କ'ଣ କହିଲୁ ତୁ ? " କବାଟ ବାହାରୁ ଗର୍ଜି ଉଠିଲେ ମାଉସୀ |
" କିଛି ନୁହଁ ... କିଛି ନୁହଁ ... "
ଦୁଦୁଲିର ଜନ୍ମଦିନ -- ସେ କେମିତି ତାହା ଭୁଲିପାରିବ ? ହରି ବିଛଣାରୁ ଉଠି ପିନ୍ଧିବା ପାଇଁ କାମିଜଟିଏ ଖୋଜିଲା , ଶେଷରେ ଖଟ ତଳୁ କାମିଜଟିଏ ପାଇଲା | ସେଥିରେ ବୁଢିଆଣୀଟିଏ ଚାଲୁଥାଏ , ହରି ବୁଢିଆଣୀଟିକୁ ହଟାଇ ଲୁଗାଟି ପିନ୍ଧିଲା | ହରିର ବୁଢିଆଣୀମାନଙ୍କ ସହିତ ବହୁତ ପୁରୁଣା ସମ୍ପର୍କ , କାରଣ ଶିଡିଘର ତଳ ଅନ୍ଧାରୁଆ ଛୋଟ କୋଠରିଟି ବୁଢିଆଣୀରେ ଭରା -- ହରି ସେହି କୋଠରିରେ ଶୁଏ |
ହରି ପୋଷାକ ପିନ୍ଧିସାରି ରୋଷେଇଘରକୁ ଗଲା | ଟେବୁଲଟି ଦୁଦୁଲିର ଜନ୍ମଦିନ ଉପହାରରେ ଭରା | ଦୁଦୁଲିକୁ ଗୋଟିଏ ନୂଆ କମ୍ପ୍ୟୁଟର , ନୂଆ ଟେଲିଭିଜନ ଆଉ ଗୋଟେ ନୂଆ ସାଇକେଲ ମିଳିଥାଏ | ଦୁଦୁଲିର ସାଇକେଲ କ'ଣ ପାଇଁ ଦରକାର -- ହରି ସେ ରହସ୍ୟ ବୁଝି ପାରିଲା ନାହିଁ -- ଦୁଦୁଲି ପ୍ରବଳ ମୋଟା ଏବଂ କସରତ୍ କରିବାକୁ ଘୃଣା କରେ -- ଯଦିଓ ଅନ୍ୟମାନଙ୍କୁ ବିଧା ମାରିବା ତା'ର ବହୁତ ପସନ୍ଦ | ପ୍ରକୃତପକ୍ଷେ ହରିକୁ ବିଧା ମାରିବା ଦୁଦୁଲିର ଭାରି ପସନ୍ଦ , କିନ୍ତୁ ଅଧିକାଂଶ ସମୟ ଦୁଦୁଲି ହରିକୁ ଧରି ପାରେ ନାହିଁ | ଦେଖିବାକୁ ହରି କିଛି ଅସାଧାରଣ ନୁହେଁ , କିନ୍ତୁ ସେ ବହୁତ ଦ୍ରୁତ |
ବୋଧହୁଏ ଏହା ଶିଡି ତଳ ଅନ୍ଧାର କୋଠରିରେ ରହିବାର ଫଳ , କିନ୍ତୁ ହରି ନିଜ ବୟସ ଅନୁସାରେ ଖୁବ୍ ଛୋଟ ଓ ପତଳା | ସେ ଆହୁରି ଛୋଟ ଓ ପତଳା ଦେଖାଯାଏ କାରଣ ସେ ଦୁଦୁଲିର ପୁରୁଣା ଲୁଗା ପିନ୍ଧେ , ଯାହାକି ତା' ନିଜ ପାଇଁ ଚାରିଗୁଣା ବଡ଼ | ହରିର ମୁହଁଟି ପତଳା , ଗୋଡ଼ ହାତ ପ୍ରାୟ ମାଂସହୀନ , କେଶ ଅଙ୍ଗାର ପରି କଳା ଏବଂ ଆଖିର ରଙ୍ଗ କଅଁଳ ଘାସ ପରି ଚମକଦାର ସବୁଜ | ସେ ଏକ ଗୋଲ ଚଷମା ପିନ୍ଧେ , ଚଷମାଟି ଅଠାପଟିରେ ବନ୍ଧା ହୋଇଥାଏ କାରଣ ଦୁଦୁଲି ମାଡ଼ରେ ତାହା ବହୁତବାର ଭାଙ୍ଗି ସାରିଥାଏ -- ଦୁଦୁଲି ବହୁତଥର ହରିର ନାକକୁ ବିଧା ମାରି ଆସିଛି | ହରିକୁ ତା'ର ନିଜ ଚେହେରା ବିଷୟରେ କେବଳ ଗୋଟିଏ ଜିନିଷ ଭଲ ଲାଗେ -- କପାଳରେ ଥିବା ଏକ ବଜ୍ରପାତ ପରି ପତଳା କ୍ଷତଚିହ୍ନ | ହେତୁ ଆସିବା ଦିନରୁ ସେ ପୁତନା ମାଉସୀଙ୍କୁ ଗୋଟିଏ ହିଁ ପ୍ରଶ୍ନ ପଚାରି ଆସିଛି , କେମିତି ତା'ର କପାଳରେ ଏଇ କ୍ଷତଚିହ୍ନଟି ଆସିଲା ?
" ଯେଉଁ ସଡ଼କ ଦୁର୍ଘଟଣାରେ ତୋର ବାପ ମା ମରିଗଲେ " , ମାଉସୀ କହିଥିଲେ , "ଆଉ ପ୍ରଶ୍ନ ପଚାରିବା ବନ୍ଦ କର | "
ପ୍ରଶ୍ନ ପଚାରିବା ବନ୍ଦ କର -- ଦୁର୍ଷାଳମାନଙ୍କ ସହିତ ନୀରବ ଜୀବନ ବଞ୍ଚିବାର ପ୍ରଥମ ନିୟମ |
ହରି ପିଠାଟାକୁ ତାଵା ଉପରେ ଓଲଟାଇବା ବେଳେ ହଠାତ୍ ବାଣାସୁର ମଉସା ( ଦୁର୍ଷାଳବାବୁଙ୍କ ଶୁଭନାମ 'ବାଣାସୁର ଦୁର୍ଷାଳ' ) ରୋଷେଇ ଘର ଭିତରକୁ ପଶି ଆସିଲେ |
" ଯା ମୁଣ୍ଡ କୁଣ୍ଡେଇକି ଆସିବୁ ", ଗର୍ଜି ଉଠିଲେ ବାଣ ମଉସା ହରିକୁ ଦେଖି |
ସପ୍ତାହରେ ଥରଟେ , ଖବରକାଗଜ ଉପରୁ ମୁଣ୍ଡ ଉଠାଇ ବାଣାସୁର ମଉସା ହରିକୁ ବାଳ କାଟିବା ପାଇଁ କହିବା ନିଶ୍ଚିତ | ହରି ତା ଶ୍ରେଣୀର ଅନ୍ୟ ସବୁ ପିଲାମାନଙ୍କ ଠାରୁ ଅଧିକ ଥର ବାଳ କାଟିଥିବ ଜୀବନରେ , କିନ୍ତୁ ଏଥିରେ କିଛି ପାର୍ଥକ୍ୟ ଆସେନା , ହରି ମୁଣ୍ଡର କେଶ ବଢି ଚାଲେ ସେହିପରି , ସବୁବେଳେ , ସବୁ ସ୍ଥିତିରେ |
[ ଏଠାରେ ପଢନ୍ତୁ ଭାଗ - ୮ ]
ମୂଳ ରଚନା -- ଜେ. କେ. ରାଓଲିଂ
ଅନୁବାଦ - ଗଣେଶ
