ହରି ପାତ୍ର ଓ ଗୁଣିଆ ପଥର (ଭାଗ - ୧୧)

[ ଏଠାରେ ପଢନ୍ତୁ ଭାଗ - ୧୦ ]

-- ତୃତୀୟ ଅଧ୍ୟାୟ --

ପ୍ରେରକ ବିହୀନ ପତ୍ର


ବ୍ରାଜିଲୀୟ ଲୋହିତଲାଞ୍ଜ ବୋଆ ସର୍ପକୁ ଚିଡ଼ିଆଖାନାରୁ ମୁକ୍ତ କରିବା ପାଇଁ ହରିକୁ ବହୁତ ଦୀର୍ଘ ସମୟ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିଲା | ତା'କୁ ଅନ୍ଧାର କୋଠରିରୁ ବାହାରକୁ ଆସିବା ପାଇଁ ଅନୁମତି ମିଳିଲା ବେଳକୁ ବିଦ୍ୟାଳୟରେ ଗ୍ରୀଷ୍ମାବକାଶ ଆରମ୍ଭ ହୋଇ ଯାଇଥିଲା , ଦୁଦୁଲି ସେହି ସମୟ ମଧ୍ୟରେ ତା'ର ନୂଆ ଭିଡିଓ କ୍ୟାମେରା ଓ ରିମୋଟ ଚାଳିତ ଖେଳନା ଉଡ଼ାଜାହାଜ ଆଦି ଭାଙ୍ଗି ସାରିଥିଲା ଏବଂ ପ୍ରଥମଥର ପାଇଁ ରେସିଂ ସାଇକେଲ ବାହାରେ ରାସ୍ତାରେ ଚଲଉ ଚଲଉ ବାଡ଼ି ଖଣ୍ଡେ ଧରି ଛୋଟେଇ ଛୋଟେଇ ଚାଲୁଥିବା ଶ୍ରୀମତି ପାଢୀଙ୍କୁ ଧକ୍କା ଦେଇ ପୁଣି ଥରେ ଆହତ କରି ସାରିଥିଲା |

ସେତେବେଳକୁ ବିଦ୍ୟାଳୟ ଛୁଟି ଥିବା କାରଣରୁ ହରି ସାମାନ୍ୟ ଖୁସି ଥିଲା , ହେଲେ ଦୁଦୁଲି ଆଉ ତା'ର ଦଳ ଠାରୁ ହରିର ନିସ୍ତାର କାହିଁ ? ଦୁଦୁଲିର ସାଙ୍ଗ ପାରଶ , ଦିନେଶ , ମଲ୍ଲକାମୀ , ଗୁଡୁ ଇତ୍ୟାଦି ପ୍ରତ୍ୟହ ଦୁର୍ଷାଳବାବୁଙ୍କ ଘରକୁ ଖେଳିବା ପାଇଁ ଆସୁଥିଲେ -- ସେମାନେ ସମସ୍ତେ ବିଶାଳକାୟ , ଗୁଣ୍ଡାଗର୍ଦ୍ଦି ମାଡ଼ପିଟରେ ଆଗଭର ଏବଂ ଏକ କୁ ବଳି ଏକ ମୂର୍ଖ | କିନ୍ତୁ ଯେହେତୁ ଦୁଦୁ୍ଲି ସେମାନଙ୍କ ମଧ୍ୟରେ ସବୁଠାରୁ ବିଶାଳକାୟ ଏବଂ ସବୁଠୁ ବଡ଼ ମୂର୍ଖ , ଦୁଦୁଲି ସେମାନଙ୍କ ମଧ୍ୟରେ ନେତା | ସେମାନେ ସମସ୍ତେ ଦୁଦୁଲିର ପ୍ରିୟ ଖେଳଟି ଖେଳି ବଡ଼ ଖୁସି , ତାହା ହେଲା -- ' ହରି ଧରା ' |

ସେଇଥି ପାଇଁ ହରି ଯେତେ ସମ୍ଭବ ଘର ବାହାରେ ଏଣେ ତେଣେ ବୁଲା ବୁଲି କରି ସମୟ ବିତାଏ , ଖରା ଛୁଟି ଶେଷ ହେବା ବିଷୟରେ ଭାବେ , ଗ୍ରୀଷ୍ମାବକାଶର ଅନ୍ତରେ ହିଁ ତା'କୁ ଆଶାର ଏକ କ୍ଷୀଣ ଆଲୋକ ଦେଖାଯାଏ | ଖରା ଛୁଟି ସରିଲେ , ସେପ୍ଟେମ୍ବର ମାସରେ ହରି ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇବ , ଏବଂ ଜୀବନରେ ପ୍ରଥମ ଥର ପାଇଁ ତା'କୁ ଦୁଦୁଲି ସହିତ ବିଦ୍ୟାଳୟ  ଯିବାରୁ ମୁକ୍ତି ମିଳିଯିବ | ଦୁଦୁଲି 'ସ୍ମେଲଟିଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟ' , ଯେଉଁଠାରେ ବାଣାସୁର ମଉସା ନିଜର ମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ , ସେଠାରେ ନାମ ଲେଖାଇବା କଥା ସ୍ଥିର ହୋଇଥାଏ , ପାରଶ ପଲେଇ ମଧ୍ୟ ସେହି ବିଦ୍ୟାଳୟକୁ ଯିବା କଥା ଠିକ୍‍ ହୋଇଥାଏ | ଅପରପକ୍ଷେ ହରି ନିକଟସ୍ଥ ପଥରବନ୍ଧ ମାଧ୍ୟମିକ ବିଦ୍ୟାଳୟରେ ପଢିବାର ସ୍ଥିର ହୋଇଥାଏ | ଏକଥା ଦୁଦୁଲିକୁ ବଡ଼ ହାସ୍ୟାସ୍ପଦ ଲାଗୁଥାଏ |

" ପଥରବନ୍ଧ ବିଦ୍ୟାଳୟରେ ପ୍ରଥମ ଦିନ ବଡ଼ ପିଲାମାନେ ନୂଆ ଛାତ୍ରମାନଙ୍କ ମୁଣ୍ଡକୁ ପାଇଖାନା ଭିତରେ ଭର୍ତ୍ତି କରନ୍ତି ", ଦୁଦୁଲି କହିଲା ହରିକୁ , " ଚାଲ୍‍ ପାଇଖାନାରେ ଯାଇ ତୋର ଅଭ୍ୟାସ କରାଇବା |"

" ନାଇଁ ଥାଉ , ଧନ୍ୟବାଦ ," ହରି ଉତ୍ତର ଦେଲା ," ବିଚରା ପାଇଖାନା ଟାଙ୍କି ଭିତରକୁ ତୋ ଭଳିଆ ବଡ଼ମୁଣ୍ଡିଆର ମୁଣ୍ଡ ଆଗରୁ କେବେ ଯାଇ ନଥିବ , ଏବେ ଗଲେ ଯଦି ଖରାପ ହୋଇଯାଏ ସେଇଟା ?" ଏତକ କହିଦେଇ ଦୁଦୁଲି ଏହାର ଅର୍ଥ କିଛି ବୁଝି ପାରିବା ପୂର୍ବରୁ ହରି ସେଠାରୁ ଦୌଡ଼ି ପଳାଇଲା |

ଜୁଲାଇ ମାସରେ ଦିନେ ପୁତନା ମାଉସୀ ଦୁଦୁଲିକୁ ନେଇ ସହରକୁ ଗଲେ ତା'ର ନୂଆ ବିଦ୍ୟାଳୟ ପୋଷାକ କିଣିବା ପାଇଁ , ହରିକୁ ଶ୍ରୀମତି ପାଢୀଙ୍କ ଘରେ ଛାଡ଼ି ଦେଇ ଗଲେ | ଶ୍ରୀମତି ପାଢୀ ପୂର୍ବ ଠାରୁ ବହୁତ ବଦଳି ଯାଇଥାନ୍ତି | ଜଣା ପଡ଼ିଲା ଯେ ତା'ଙ୍କ ବିଲେଇଟି ଉପରେ ଝୁଣ୍ଟିପଡ଼ି ସେ ନିଜର ଗୋଡ଼ ଭାଙ୍ଗିଥିଲେ , ଫଳରେ ତା'ଙ୍କ ମନରେ ବିଲେଇମାନଙ୍କ ପ୍ରତି ଆଉ ପୂର୍ବପରି ମୋହମାୟା ନଥାଏ | ସେ ହରିକୁ ଟେଲିଭିଜନରେ ନିଜର ମନ ପସନ୍ଦର କାର୍ଯ୍ୟକ୍ରମ ଦେଖିବାକୁ ଦେଲେ ଏବଂ କିଛି ଚକୋଲେଟ-କେକ୍‍ ଖାଇବାକୁ ଦେଲେ ; କେକ୍‍ଟି ବାସି , ବହୁତ ଦିନ ଧରି ରହିଯାଇଥିବା ଭଳି ଲାଗୁଥାଏ |

ସେଦିନ ସନ୍ଧ୍ୟାରେ ଦୁଦୁଲି ନିଜର ନୂଆ ପୋଷାକଟି ପିନ୍ଧି ଘରସାରା ବୁଲିଲା ପରିବାର ଲୋକଙ୍କ ସାମ୍ନାରେ | ସ୍ମେଲଟିଂ ସ୍କୁଲର ପିଲାମାନେ ଖଇରିଆ ରଙ୍ଗର କୋଟ୍‍ , ନାରଙ୍ଗୀ ରଙ୍ଗର ପାଇଜାମା ଏବଂ ହଳଦିଆ ରଙ୍ଗର ଟୋପି ପିନ୍ଧନ୍ତି | ସେମାନେ ଗୋଟିଏ ଗୋଟିଏ ଲମ୍ବା ରୁଲବାଡ଼ି ମଧ୍ୟ ଧରନ୍ତି , ଯାହା ଶିକ୍ଷକମାନେ ଦେଖୁ ନଥିବା ବେଳେ ପରସ୍ପରକୁ ବାଡ଼େଇବାରେ କାମରେ ଆସେ -- ଏସବୁ ବିଦ୍ୟାଳୟ ପରବର୍ତ୍ତୀ ଜୀବନ ପାଇଁ ପିଲାମାନଙ୍କୁ ଦିଆ ଯାଉଥିବା ଶିକ୍ଷା |




ଦୁଦୁଲିକୁ ତା'ର ନୂଆ ରଙ୍ଗୀନ ପୋଷାକରେ ଦେଖି ବାଣାସୁର ମଉସାଙ୍କ ଛାତି କୁଣ୍ଢେମୋଟ ହୋଇଗଲା , ସେ କାନ୍ଦ କାନ୍ଦ କଣ୍ଠରେ କହି ଉଠିଲେ କି ଆଜି ତା'ଙ୍କ ଜୀବନର ସବୁଠୁ ଗର୍ବର ଦିନ | ପୁତନା ମାଉସୀଙ୍କ ଆଖିରୁ ଲୁହ ଝରି ଆସିଲା , ସେ କହି ଉଠିଲେ କି ତାଙ୍କର ବିଶ୍ବାସ ହେଉନାହିଁ ଯେ ତା'ଙ୍କ କୁନିପୁଅ ଦୁଦୁଲି ଏଡ଼େ ସୁଦର୍ଶନ ଯୁବକଟିଏ ହୋଇ ଗଲାଣି | ହରି ସାବଧାନତାର ସହ ନୀରବ ରହିଲା -- ତା'କୁ ବଡ଼ ହସ ମାଡ଼ୁଥାଏ , ହସ ରୋକିବାର ଆପ୍ରାଣ ଚେଷ୍ଟାରେ ତା'ର ପଞ୍ଜରା ହାଡ଼ ଭାଙ୍ଗି ଯିବକି ଆଉ !

ପରଦିନ ସକାଳୁ ରୋଷେଇଘର ଆଡ଼ୁ ଏକ ଦୁର୍ଗନ୍ଧ ଆସୁଥାଏ | ହରି ସକାଳ ଜଳଖିଆ ପାଇଁ ରୋଷେଇଘରକୁ ଗଲା ବେଳକୁ କୋଠରିଟି ସମ୍ପୂର୍ଣ୍ଣ ଦୁର୍ଗନ୍ଧମୟ | ଗନ୍ଧଟି ଘରକୋଣରେ ଥିବା ଏକ ବାଲତିରୁ ଆସୁଥାଏ | ହରି ଯାଇ ବଲତି ଭିତରକୁ ଅନାଇ ଦେଖିଲା | ସେଥିରେ କଳା କଳା ପାଣିରେ କିଛି ଛିଣ୍ଡା କନା ଭିଜୁଥାଏ , ଦୁର୍ଗନ୍ଧଟି ଏଇଥିରୁ ଉତ୍ପନ୍ନ |

" ଏଗୁଡ଼ା କ'ଣ ?" ସେ ପୁତନା ମାଉସୀଙ୍କୁ ପଚାରିଲା | ପୁତନା ମାଉସୀ କଠୋର ନଜରରେ ହରିକୁ ଦେଖିଲେ , ହରି କେବେ କିଛି ପ୍ରଶ୍ନ ପଚାରିବାର ଦୁଃସାହସ କଲେ ପୁତନା ମାଉସୀ ସେହି ଭଳି କଠୋର ନଜରରେ ହରିକୁ ଦେଖନ୍ତି |

" ତୋର ନୂଆ ବିଦ୍ୟାଳୟ ପୋଷାକ ," ସେ କହିଲେ |

" ଆଛ୍ଛା ," ହରି କହିଲା ," ମୋତେ ଜଣା ନଥିଲା କି ବିଦ୍ୟାଳୟ ପାଇଁ ପୋଷାକ ଏମିତି ଓଦା ଆଉ ଦୁର୍ଗନ୍ଧମୟ ହୋଇ ଆସେ |"

" ମୂର୍ଖଙ୍କ ଭଳି କଥା କହନି ," ପୁତନା ମାଉସୀ ଗର୍ଜି ଉଠିଲେ ," ମୁଁ ଦୁଦୁଲିର ଗୋଟେ ପୁରୁଣା ଜାମାକୁ ତୋ ପାଇଁ ଧୂସର ରଙ୍ଗରେ ଭିଜାଉଛି | ରଙ୍ଗ ହୋଇ ଶୁଖି ସାରିଲା ପରେ ଏଇଟା ଠିକ୍‍ ଅନ୍ୟମାନଙ୍କ ପୋଷାକ ଭଳି ଦେଖାଯିବ |"

ହରିର ଏ କଥାରେ ବଡ଼ ସନ୍ଦେହ , କିନ୍ତୁ ସେ ଏ ବିଷୟରେ ଯୁକ୍ତିତର୍କ କରିବାଟା ଉଚିତ ମଣିଲା ନାହିଁ | ନୀରବରେ ଯାଇ ଜଳଖିଆ ନେଇ ଟେବୁଲ ଉପରେ ରଖିଲା | ପଥରବନ୍ଧ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ଦିନରୁ ହିଁ ତା'କୁ ଏଇ ପୋଷାକ ପିନ୍ଧି ଯିବାକୁ ହେବ ; ଏଇ ପୋଷାକରେ ସେ କେମିତି ଦେଖାଯିବ ସେ କଥା ନ ଭାବିବା ପାଇଁ ହରି ଚେଷ୍ଟା କରୁଥାଏ -- ବୋଧ ହୁଏ ସେ ଖଣ୍ଡେ ଢିଲା ଓ ଛିଣ୍ଡା ହାତୀଚମ ପିନ୍ଧିଲା ଭଳି ଦେଖାଯିବ -- ଛାଡ଼ , ସେସବୁ କଥା ଭାବି ଲାଭ କ'ଣ !

ସେତିକିବେଳେ ଦୁଦୁଲି ଏବଂ ବାଣାସୁର ମଉସା ରୋଷେଇଘରକୁ ଆସିଗଲେ , ଦୁହେଁ ଘୃଣାରେ ନାକ ଟେକି ଟେକି ଆସୁଥାନ୍ତି -- ହରିର ପୋଷାକରୁ ବଡ଼ ଦୁର୍ଗନ୍ଧ ଆସୁଥାଏ | ବାଣାସୁର ମଉସା ବସିପଡ଼ି ଖବରକାଗଜଟି ଖୋଲିଲେ ସବୁଦିନ ଭଳି , ଦୁଦୁଲି ତା'ର ରୁଲବାଡ଼ିଟି ଟେବୁଲ ଉପରେ ବାଡ଼େଇଲା -- ସେ ସବୁବେଳେ ସାଙ୍ଗରେ ରୁଲବାଡ଼ିଟି ନେଇ ବୁଲୁଥାଏ |

ଏତିକିବେଳେ ଡାକବାଲା ଦୁଇଥର କବାଟ ଠକ୍‍ ଠକ୍‍ କରି କବାଟ ତଳ ଫାଙ୍କରେ ଚିଠିଗୁଡ଼ାକ ଗଳେଇଦେଇ ଚାଲିଗଲା |

" ଦୁଦୁଲି , ଚିଠିଗୁଡ଼ା ନେଇ ଆସ ," ଖବରକାଗଜ ପଛରୁ କହିଲେ ବାଣାସୁର ମଉସା |

" ହରିକୁ ଆଣିବା ପାଇଁ କୁହ |"

" ହରି , ଚିଠିଗୁଡ଼ା ନେଇ ଆ |"

" ଦୁଦୁଲିକୁ ଆଣିବା ପାଇଁ କୁହ |"

" ଦୁଦୁଲି , ତୁମ ରୁଲବାଡ଼ିରେ ତା'କୁ ପାହାରେ ଦିଅ |"

ଦୁଦୁଲି ରୁଲବାଡ଼ିର ମାଡ଼ରୁ ବଞ୍ଚିବା ପାଇଁ ହରି ଚିଠି ଆଣିବାକୁ ଧାଇଁ ଗଲା | ଦୁଆର ମୁହଁରେ ତିନୋଟି ଚିଠି ପଡ଼ିଥାଏ -- ବାଣାସୁର ମଉସାଙ୍କ ଭଉଣୀ ମାର୍ଗେଶ୍ବରୀଙ୍କ ଠାରୁ ଗୋଟେ ପୋଷ୍ଟକାର୍ଡ ; ମାର୍ଗେଶ୍ବରୀ ଚିଲିକାରେ ଛୁଟି କଟାଇବାକୁ ଯାଇଥାନ୍ତି , ଗୋଟିଏ ବାଦାମୀ ଲଫାପାରେ କିଛି ବ୍ୟବସାୟୀକ କାଗଜପତ୍ର , ଏବଂ -- ହରି ପାଇଁ ଚିଠିଟିଏ |

[ କ୍ରମଶଃ ]

ମୂଳ ରଚନା -- ଜେ. କେ. ରାଓଲିଂ
ଅନୁବାଦ -- ଗଣେଶ