ହରି ପାତ୍ର ଓ ଗୁଣିଆ ପଥର (ଭାଗ - ୧୦)

[ ଏଠାରେ ପଢନ୍ତୁ ଭାଗ - ୯ ]


ମଧ୍ୟାହ୍ନ ଭୋଜନ ପରେ ସେମାନେ ସରୀସୃପ ବିଭାଗକୁ ଗଲେ | ବଡ଼ ଅନ୍ଧାରୁଆ ଶୀତଳ ଜାଗା , କାନ୍ଥରେ ଥିବା ଛୋଟ ଛୋଟ ଝରକା ବାଟେ ଯାହା ଅଳ୍ପ କିଛି ସୂର୍ଯ୍ୟାଲୋକ ଭିତରକୁ ଆସୁଥାଏ | କାଚ ପଛରୁ ନାନା ପ୍ରକାରର ଝିଟିପିଟି , ନେଉଳ , ସାପ ଇତ୍ୟାଦି ଶୁଖିଲା କାଠ , ପଥର ଉପରେ ଘୁଷୁରୁଥାନ୍ତି | ଦୁଦୁଲି ଓ ପାରଶ କେବଳ ବଡ଼ ବଡ଼ ବିଷାକ୍ତ ନାଗ , ଅହିରାଜ ଏବଂ ମଣିଷଖିଆ ଅଜଗର ଆଦି ସାପ ଦେଖିବାରେ ଆଗ୍ରହୀ | ସଙ୍ଗେ ସଙ୍ଗେ ଦୁଦୁଲି ସରୀସୃପ ବିଭାଗରେ ଥିବା ସର୍ବବୃହତ୍‍ ସାପଟିକୁ ଖୋଜିନେଲା | ସାପଟି ଏତେ ବଡ଼ ଯେ ତାହା ବାଣାସୁର ମଉସାଙ୍କ ଗାଡ଼ି ଚାରିପଟେ ଦୁଇଥର ଗୁଡ଼େଇ ହୋଇ ତା'କୁ କ୍ଷଣକେ ଚୂନା କରିଦେବ -- କିନ୍ତୁ ସେହି ସମୟରେ ସାପଟି ସେପରି ଭୟାନକ ମିଜାଜରେ ନଥିଲା , ବରଂ ସେ ଘୋର ନିଦ୍ରାରେ ଶୋଇଥିଲା |

ଦୁଦୁଲି କାଚ ଉପରେ ନାକ ଲଗାଇ ଠିଆ ହୋଇଥାଏ , ବିଶାଳକାୟ ସର୍ପଟିର ଚମକଦାର୍‍ ବାଦାମୀ କାତିକୁ ଦେଖୁଥାଏ |

" ଏଇଟାକୁ ନିଦରୁ ଉଠାଅ ," ଦୁଦୁଲି ତା' ବାପାଙ୍କ ଉଦ୍ଦେଶ୍ୟରେ କହିଲା | ବାଣାସୁର ମଉସା କାଚ ଉପରେ ଦୁଆର ଠକ୍‍ ଠକ୍‍ କଲା ଭଳି ଦୁଇ ଚାପୁଡ଼ା ମାରିଲେ , କିନ୍ତୁ ସାପ ଟିକେ ହେଲେ ହଲିଲା ନାହିଁ |

" ଆଉ ଥରେ ," ଦୁଦୁ୍ଲିର ଆଦେଶ | ବାଣାସୁର ମଉସା କାଚ ଉପରେ ଆଉ ଦୁଇ ଚାପୁଡ଼ା ମାରିଲେ ଟିକେ ଜୋରରେ , କିନ୍ତୁ ସାପଟି ଉଦାସୀନ ଭାବରେ ସେହିପରି ଶୋଇ ରହିଲା |

" ହାଃ , କେଡ଼େ ହତାଶିଆ ସାପଟା ମ ," ଦୁଦୁଲି ବିରକ୍ତ ସ୍ବରରେ କହି କହି ଅନ୍ୟ ଆଡ଼େ ଚାଲିଗଲା |




ହରି ଧିରେ ଧିରେ କାଚ ଆଗକୁ ଯାଇ ଭିତରେ ଥିବା ସାପଟିକୁ ଧ୍ୟାନ ସହକାରେ ଦେଖିଲା | ସାପଟି ଏଭଳି ବିରକ୍ତିକର ଏବଂ ଉଦାସୀନ ଜୀବନରେ କେତେବେଳେ ମରିଗଲେ ମଧ୍ୟ କେହି ବିସ୍ମିତ ହେବେ ନାହିଁ -- ସାପଟିର କିଏ ଅବା ବନ୍ଧୁ ବାନ୍ଧବ ଅଛନ୍ତି ଏଠି | ଖାଲି ମୂର୍ଖ ଲୋକମାନେ କାଚ ଉପରେ ହାତ ବାଡ଼େଇ , କାଚ ଠକ୍‍ ଠକ୍‍ କରି ଦିନ ଯାକ ତା'କୁ ବିରକ୍ତ କରିବାରେ ବ୍ୟସ୍ତ | ଏମିତି ଜୀବନ ଶିଡି ତଳ ଅନ୍ଧାର କୋଠରିରେ ରହିବା ଠାରୁ ବି ଦୁଃଖଦ | ଅନ୍ଧାର କୋଠରିରେ ସକାଳ ସମୟରେ ପୁତନା ମାଉସୀ ଦୁଆର ବାଡ଼େଇ ହରିକୁ ଉଠାଇ ଦିଅନ୍ତି ସତ ; କିନ୍ତୁ ସେ ଦିନମାନଙ୍କରେ କମ୍‍ ସେ କମ୍‍ ତା'କୁ ଘର ଭିତରେ ଅନ୍ୟ କୋଠରିରେ ବୁଲିବାର ଅନୁମତି ଥାଏ |

ହଠାତ୍‍ ସାପଟିର ବୋତାମ ଭଳି ଆଖି ଦୁଇଟି ଖୋଲିଗଲା | ଧିରେ , ଅତ୍ୟନ୍ତ ଧିରେ , ସାପଟି ମୁଣ୍ଡ ଉଠାଇ ନିଜର ଆଖି ଦୁଇଟିକୁ ହରିର ଆଖି ସାମନାକୁ ଆଣିଲା ଏବଂ ହରିକୁ ଅନାଇ ଆଖି ମିଟିକା ମାରିଲା |

ହରି ଅନାଇ ରହିଥାଏ | ଏବେ ହରି ପଛକୁ ଅନାଇ ଦେଖିଲା କି ଅନ୍ୟ କେହି ଦେଖୁ ନାହାନ୍ତି ତ ; କିନ୍ତୁ କେହି ତା' ଆଡ଼କୁ ଦେଖୁ ନଥିଲେ | ସେ ମଧ୍ୟ ସାପ ଆଡ଼କୁ ଅନାଇ ଆଖି ମିଟିକା ମରିଲା |

ସାପଟି ମୁଣ୍ଡ ବୁଲାଇ ବାଣାସୁର ମଉସା ଓ ଦୁଦୁଲିଙ୍କ ଆଡ଼କୁ ଦେଖିଲା ଏବଂ ତା' ପରେ ଆଖି ଉଠାଇ ବଡ଼ ଉଦାସୀନ ଭାବରେ ଛାତ ଆଡ଼କୁ ଚାହିଁ ରହିଲା -- ଯେମିତି କି ସେ ଇଶାରାରେ ହରିକୁ କହିବାକୁ ଚାହୁଁଛି -- " ହଁ , ମୋ ସହିତ ଏମିତି ବ୍ୟବହାର ସବୁଦିନ ହୁଏ |"

" ମୁଁ ବୁଝି ପାରୁଛି ", ହରି କହି ଉଠିଲା ମନକୁ ମନ , କାଚର କାନ୍ଥ ଦେଇ ସାପ ଯେ ହରିର କଥା ଶୁଣି ପାରିବ ଅଥବା ବୁଝି ପାରିବ ତା'ର ନିଶ୍ଚିତତା କ'ଣ ! " ଏମିତି ଜୀବନ ବଡ଼ ବିରକ୍ତିକର ହୋଇଥିବ |"

କିନ୍ତୁ ସାପଟି ହରିର କଥାରେ ଜୋର ଜୋରରେ ମୁଣ୍ଡ ଟୁଙ୍ଗାରିଲା , ଯେମିତି କି ହଁ କହିବାକୁ ଚେଷ୍ଟା କରୁଛି |

" ଆଛ୍ଛା , ତୁମେ କେଉଁଠୁ ଧରା ହୋଇ ଆସିଛ ?" ହରି ପଚାରିଲା |

ସାପଟି ଲାଞ୍ଜ ଉଠାଇ ପାର୍ଶ୍ବବର୍ତ୍ତୀ ଫଳକ ଆଡ଼େ ଇଶାରା କଲା , ହରି ଫଳକଟିକୁ ପଢିଲା --
" ବୋଆ କନ୍‍ଷ୍ଟ୍ରିକ୍ଟର ( ଲୋହିତଲାଞ୍ଜ ବୋଆ ସର୍ପ ) , ବ୍ରାଜିଲ |"

" ବ୍ରାଜିଲ ବହୁତ ଭଲ ଜାଗା , ନୁହେଁ କି ?"

ସାପଟି ପୁଣି ଥରେ ଲାଞ୍ଜ ଉଠାଇ ପାର୍ଶ୍ବବର୍ତ୍ତୀ ଫଳକ ଆଡ଼େ ଇଶାରା କଲା , ହରି ଫଳକର ପରବର୍ତ୍ତି ଧାଡ଼ିଟି ପଢିଲା --
" ଏହି ଶାବକଟି ଏହି ଚିଡ଼ିଆଖାନାରେ ଜନ୍ମିତ ଓ ପାଳିତ " -- " ଆଛ୍ଛା , ତା' ହେଲେ ତୁମେ କେବେ ବ୍ରାଜିଲ ଯାଇ ନାହଁ କି ଦେଖି ନାହଁ ?"

ସାପଟି ମୁଣ୍ଡ ଟୁଙ୍ଗାରି ହଁ କଲା , ମାତ୍ର ଠିକ୍‍ ସେହି ସମୟରେ ହରିର ପଛ ପାଖରୁ ଏକ ବିକଟ ଚିତ୍କାର ଶୁଣି ହରି ଓ ସାପ ଦୁହେଁ ଚମକି ପଡ଼ିଲେ |

" ଦୁଦୁଲି! ଦୁର୍ଷାଳବାବୁ! ଧାଇଁ ଆସ! ଧାଇଁ ଆସ! ଦେଖ ତ ସାପଟା କ'ଣ କରୁଛି! ଆଖିକୁ ବିଶ୍ବାସ ହଉନି ସାପଟା କ'ଣ କରୁଛି !"

ପାରଶର ରଡ଼ି ଶୁଣି ଦୁଦୁ୍ଲି ଦୌଡ଼ି ଆସିଲା | ଆସୁ ଆସୁ , " ମୋ ରାସ୍ତାରୁ ହଟିଯା ", କହି ହରି ପେଟରେ ବିଧାଟିଏ ମାରିଲା | ଏମିତି ଅଚାନକ ବିଧାଟିଏ ଖାଇ ହରି ଭାରସାମ୍ୟ ହରାଇ ତଳେ ପଡ଼ିଗଲା ମୁହଁ ମାଡ଼ି | ମାତ୍ର ଏହା ପରେ ଯାହା ହେଲା , ତାହା ଏତେ ଶୀଘ୍ର ଘଟିଗଲା ଯେ କେହି ବୁଝି ପାରିଲେ ନାହିଁ କି ତାହା କେମିତି ସମ୍ଭବ ହେଲା -- ଏକ କ୍ଷଣରେ ଦୁଦୁଲି ଓ ପାରଶ କାଚ ପାଖରେ ଠିଆ ହୋଇ କାଚରେ ନାକ ଲଗାଇ ସାପଟିକୁ ଦେଖୁଥାନ୍ତି , ପର କ୍ଷଣରେ ଦୁଇଜଣ ଯାକ ଏକା ସାଙ୍ଗରେ ଭୟରେ ଚିତ୍କାର କରି ପଛକୁ ଓଲଟି ପଡ଼ିଲେ |

ହରି କଷ୍ଟରେ ଉଠି ବସିଲା , ଅଣନିଃଶ୍ବାସୀ ହୋଇ ଯାଇଥାଏ ; ସାପଟିର ଯନ୍ତା ଆଗରେ ଥିବା କାଚଟି କୁଆଡ଼େ ଉଭାନ୍‍ ହୋଇ ଯାଇଥାଏ | ବିଶାଳକାୟ ସାପଟି ମୋଡ଼ି ମାଡ଼ି ହୋଇ କୁଣ୍ଡଳୀ ଖୋଲି ତା'ର ବନ୍ଦୀଶାଳାରୁ ବହାରକୁ ଆସିଗଲା କ୍ଷୀପ୍ର ବେଗରେ | ହଠାତ୍‍ ଏତେ ବଡ଼ ସାପଟିକୁ ଚଟାଣ ଉପରେ ଦେଖି ସରୀସୃପ ବିଭାଗରେ ବୁଲୁଥିବା ଲୋକମାନେ ଭୟାତୁର ହୋଇ ଚିତ୍କାର କରି ଏଣେ ତେଣେ ଦୌଡ଼ିବାକୁ ଲାଗିଲେ ବାହାରକୁ ଯିବା ପାଇଁ |

ହରି ହତବାକ୍‍ ହୋଇ ସେହିପରି ତଳେ ବସି ରହିଥାଏ | ସାପଟି ହରିକୁ ଅତିକ୍ରମ କରି ଯିବା ବେଳେ ହରିକୁ ଲାଗିଲା ଯେ ସେ ଏକ କ୍ଷୀଣ ସର୍ପସୁଲଭ ଫିସିଫିସିଆ ସ୍ବରରେ କହିଗଲା , " ବ୍ରାଜିଲ , ମାତୃଭୂମୀ , ମୁଁ ଫେରି ଆସୁଛି ... ଧନ୍ୟବାଦ ବନ୍ଧୁ !"

ସରୀସୃପ ବିଭାଗର ମୁଖ୍ୟ କର୍ମଚାରୀ ମୁଣ୍ଡରେ ହାତଦେଇ ବସିଗଲେ | " ହେଲେ ସେ କାଚ ", ସେ କହି ଚାଲିଥାନ୍ତି , " ହେଲେ ଏତେ ବଡ଼ କାଚଟା ଗଲା କୁଆଡ଼େ ?"

ଚିଡ଼ିଆଖାନାର ମୁଖ୍ୟ ନିର୍ଦ୍ଦେଶକ ପୁତନା ମାଉସୀଙ୍କୁ ତା'ଙ୍କ କାର୍ଯ୍ୟାଳୟକୁ ନେଇ ଗୋଟେ ମିଠା କଡ଼ା ଚା ପିଇବାକୁ ଦେଲେ ଏବଂ ବାରମ୍ବାର କ୍ଷମା ପ୍ରର୍ଥନା କଲେ | ପାରଶ ଓ ଦୁଦୁଲି ଖାଲି ଯାହା ପାଟି ପାକୁପାକୁ କରୁଥାନ୍ତି , ମୁହଁରୁ କିଛି ସ୍ପଷ୍ଟ ଶବ୍ଦ ବାହାରୁ ନଥାଏ | ହରି ଯାହା ଦେଖିଥିଲା , ସାପଟି ତଳେ ପଡ଼ି ଯାଇଥିବା ପାରଶ ଓ ଦୁଦୁଲିଙ୍କ ଗୋଡ଼ ଆଡ଼େ ଥରେ ମୁଣ୍ଡ ବୁଲେଇ ଦେଖିଥିଲା ଏବଂ କପଟରେ କାମୁଡ଼ିବା ଭଳି ଭଙ୍ଗୀ କରି ମୁହଁ ଖୋଲିଥିଲା କେବଳ -- ହେଲେ ସେମାନଙ୍କର କିଛି କ୍ଷତି କରିନଥିଲା | କିନ୍ତୁ ସେମାନେ ଯାଇ ବାଣାସୁର ମଉସାଙ୍କ ଗାଡ଼ିରେ ବସିବା ବେଳକୁ ସାପଟି କିଭଳି ତା' ଗୋଡ଼ରୁ ଫାଳେ କାମୁଡ଼ି ନେବା ପାଇଁ ଉଦ୍ୟତ ହେଉଥିଲା -- ଦୁଦୁଲି ସେ ବିଷୟରେ ବଖାଣୁଥିଲା ; ଏବଂ ପାରଶ ନିଜ ମା' ରାଣ ଖାଇ କହୁଥିଲା ଯେ ସାପଟା ତା' ଦେହରେ ଗୁଡ଼େଇ ହୋଇ ତା'କୁ ଚିପି ମାରି ଦେବାକୁ ଚେଷ୍ଟା କରିଥିଲା | ସର୍ବଶେଷରେ ଯେତେବେଳେ ପାରଶ ଧିରେ ଧିରେ ଶାନ୍ତ ହୋଇ ଆସିଲା , ସେ କହି ପକାଇଲା , " ହରି ସାପ ସହିତ କଥା ଦେଉଥିଲା , ତୁ କଥା ହେଉ ନଥିଲୁ ହରି ?"

ବାଣାସୁର ମଉସା ପାରଶ ତା' ଘରେ ସୁରକ୍ଷିତ ପହଞ୍ଚିବା ପର୍ଯ୍ୟନ୍ତ ଅପେକ୍ଷା କଲେ ହରିକୁ କିଛି କହିବା ପୂର୍ବରୁ | ସେ ଏତେ କ୍ରୋଧିତ ଥାଆନ୍ତି କି କଥା କହି ପାରୁନଥାନ୍ତି | ଶେଷରେ ସେ ଏତିକି ମାତ୍ର କହି ପାରିଲେ , " ଯା -- ଅନ୍ଧାର କୋଠରି -- ଖାଇବା -- ଦେବନାହିଁ ତା'କୁ |" -- ଏହା କହି ସେ ପାଖରେ ଥିବା ଚୌକିଟି ଉପରେ ନିଜର ମୁଣ୍ଡଟିକୁ ଜାବୁଡ଼ି ଧରି ବସି ପଡ଼ିଲେ ଏବଂ ପୁତନା ମାଉସୀ ତା'ଙ୍କ ପାଇଁ ଗୋଟିଏ ଛୋଟ ଗିଲାସରେ କିଛି ବ୍ରାଣ୍ଡି ଆଣିବା ପାଇଁ ଧାଇଁ ଗଲେ |

ହରି ବହୁତ ବେଳ ଯାଏ ଶିଡିତଳ କୋଠରିର ଅନ୍ଧାର ଭିତରେ ଅନିଦ୍ରା ହୋଇ ପଡ଼ିରହିଲା | ହରି ମନେ ମନେ ଭାବୁଥାଏ ଯେ ତା'ର ହାତ ଘଣ୍ଟାଟିଏ ଥିଲେ ଭଲ ହୋଇଥାନ୍ତା , କମ୍‍ ସେ କମ୍‍ ସମୟ ତ ଜାଣି ହୁଅନ୍ତା -- ହେଲେ ହରିକୁ ହାତ ଘଣ୍ଟା କିଏ ବା ଦେଉଛି | ସମୟ ଜାଣିଥିଲେ ସେ ଦୁର୍ଷାଳମାନେ ଶୋଇ ପଡ଼ିଲେଣି ନା ନାହିଁ ଅନୁମାନ କରି ରୋଷେଇଘରେ ପଶି କିଛି ଖାଦ୍ୟ ଚୋରେଇ ଆଣନ୍ତା |

ହରି ଦୁର୍ଷାଳ ପରିବାର ସହିତ ଦଶ ବର୍ଷ ହେଲା ରହିଲାଣି , ହେତୁ ହେବା ଦିନଠାରୁ ସେ ଦୁର୍ଷାଳମାନଙ୍କୁ ହିଁ ନିଜର ପରିବାର ବୋଲି ଜାଣିଛି -- ଦଶ ବର୍ଷର ଦୁସ୍ଥ ଅସହାୟ ଜୀବନ | ତା'ର ବାପ ମା ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରି ନଥିଲେ ହୁଏତ ତା' ଜୀବନ କିଛି ଅଲଗା ହୋଇଥାନ୍ତା | ବେଳେ ବେଳେ ହରି ସେହି ସଡ଼କ ଦୁର୍ଘଟଣାଟିକୁ ମନେ ପକାଇବାକୁ ଚେଷ୍ଟା କରେ , କିନ୍ତୁ ତା'ର ମା ବାପାଙ୍କର ମୃତ୍ୟୁ ସମୟରେ ସେ କୌଣସି ଗାଡ଼ି ଭିତରେ ଥିବା ଭଳି ମନେହୁଏ ନାହିଁ | ବେଳେ ବେଳେ ସେହି ଅନ୍ଧାର କୋଠରି ଭିତରେ ବସି ରହି ସେ ଯେତେବେଳେ ନିଜର ଗଭୀରତମ ସ୍ମୃତିଗୁଡ଼ିକୁ ମନେ ପକାଇବାକୁ ଚେଷ୍ଟା କରେ , ସେତେବେଳେ ତା'ର ଆଖି ଆଗରେ ଏକ ଅଜବ ଦୃଶ୍ୟ ଭାସିଉଠେ -- ଅନ୍ଧକାର ମଧ୍ୟରେ ଗୁଡ଼ାଏ ଉଜ୍ଜ୍ବଳ ସବୁଜ ଆଲୋକର ଚମକ ଏବଂ କପାଳର ସେହି କ୍ଷତଚିହ୍ନ ଉପରେ କିଛି ଜଳି ଉଠିବା ପରି କଷ୍ଟ | ସେ ଭାବେ କି ତାହା ହିଁ ସେହି ଦୁର୍ଘଟଣା ସମୟର ସ୍ମୃତି , କିନ୍ତୁ ସେ ସେହି ଉଜ୍ଜ୍ବଳ ସବୁଜ ଆଲୋକର ରହସ୍ୟ ବୁଝି ପାରେନାହିଁ | ହରି ନିଜ ପିତାମାତାଙ୍କର ଚେହେରା ଆଦୌ ମନେପକାଇ ପାରେନାହିଁ | ମଉସା ମାଉସୀ ମଧ୍ୟ ସେମାନଙ୍କ ବିଷୟରେ କେବେ କିଛି କଥା କହନ୍ତି ନାହିଁ , ଏବଂ ହରିକୁ ତ କିଛି ବି ବିଷୟରେ ପ୍ରଶ୍ନ ପଚାରିବା ମନା | ଘରେ ସେମାନଙ୍କର କୌଣସି ଫଟୋଚିତ୍ର ମଧ୍ୟ ନଥାଏ |

ହରି ଯେତେବେଳେ ଛୋଟ ଥିଲା , ସେ ବହୁତ ବାର ସ୍ବପ୍ନାବିଷ୍ଟ ହୋଇ ଭାବେ ଯେ କେହି ଦୂର ଦୂରାନ୍ତର ସମ୍ପର୍କୀୟ କେବେ ନା କେବେ ତା'କୁ ନେବା ପାଇଁ ଆସିବେ , କିନ୍ତୁ ସେପରି କିଛି ହେଲା ନାହିଁ କେବେ ; ଦୁର୍ଷାଳ ପରିବାର ହିଁ ତା'ର ଏକମାତ୍ର ପରିବାର | ତଥାପି ବେଳେ ବେଳେ ହରିକୁ ଲାଗେ ( ଅଥବା ସେ ଆଶା କରେ ) ଯେ ରାସ୍ତା ଘାଟର
କେତେକ ଅଚିହ୍ନା ଅଜଣା ଲୋକମାନେ ତା'କୁ ଜାଣନ୍ତି | ସେହି ଅଚିହ୍ନା ଅଜଣା ଲୋକମାନଙ୍କର ଢଙ୍ଗଢାଙ୍ଗ ମଧ୍ୟ ବଡ଼ ଅଜବ | ଏକଦା ଦୁଦୁଲି ଏବଂ ପୁତନା ମାଉସୀଙ୍କ ସାଙ୍ଗରେ ଦୋକାନକୁ ଯାଇଥିବା ବେଳେ ବାଇଗଣୀ ରଙ୍ଗର ଟୋପି ପରିହିତ ଜଣେ ବାଙ୍ଗରା ଭଦ୍ରବ୍ୟକ୍ତି ହରିକୁ ନମସ୍କାର କରିଥିଲେ ; ଏହାପରେ ହରି କେମିତି ସେହି ଭଦ୍ରବ୍ୟକ୍ତିଙ୍କୁ ଜାଣେ ବୋଲି ପଚାରି କୌଣସି ଉତ୍ତର ନ ପାଇବାରୁ ପୁତନା ମାଉସୀ ବଡ଼ ଭୟବିହ୍ବଳ ହୋଇ ଦୋକାନରୁ କିଛି ନ କିଣି ଫେରି ଯାଇଥିଲେ | ଆଉଥରେ ଜଣେ ସବୁଜ ବସ୍ତ୍ର ପରିହିତ ଆଦିବାସୀ ବୃଦ୍ଧା ବସରେ ହରିକୁ ଦେଖି ବଡ଼ ଖୁସିରେ ତା'କୁ ଅଭିବାଦନ କରିଥିଲେ | ବାଇଗଣୀ କୋଟ ପରିହିତ ଜନୈକ ଚନ୍ଦା ବ୍ୟକ୍ତି ଥରେ ରାସ୍ତାରେ ଯାଉଥିବା ବେଳେ ହରିକୁ ଭେଟିଥିଲେ ଓ ହରିର ହାତକୁ ମୁଠାଇ ଧରି କୃତଜ୍ଞ ଚକ୍ଷୁରେ ତା'କୁ କିଛି କ୍ଷଣ ଚାହିଁ ରହିଥିଲେ ; କିଛି କ୍ଷଣ ପରେ ବ୍ୟକ୍ତି ଜଣକ କିଛି ବି ନ କହି ହଠାତ୍‍ ଅନ୍ୟ କେଉଁ ଆଡ଼େ ଚାଲି ଯାଇଥିଲେ | ଏହି ଲୋକମାନଙ୍କ ବିଷୟରେ ସବୁଠାରୁ ବଡ଼ ବିଚିତ୍ର କଥା ଏହା ଯେ ସେମାନେ ହରିକୁ ଭେଟିବାର କ୍ଷଣକ ପରେ କୁଆଡ଼େ ଗାଏବ ହୋଇ ଯାଆନ୍ତି -- ପରେ ହରି ସେମାନଙ୍କୁ ଯେତେ ଖୋଜିଲେ ମଧ୍ୟ ମିଳନ୍ତି ନାହିଁ |

ବିଦ୍ୟାଳୟରେ କେହି ହରି ସାଙ୍ଗରେ ମିଶନ୍ତି ନାହିଁ | ସମସ୍ତଙ୍କୁ ଜଣା ଥାଏ ଯେ ଦୁଦୁଲି ଆଉ ତା' ଦଳ ସେ ହରି ପାତ୍ର ପିଲାଟାକୁ ଘୃଣା କରନ୍ତି -- ଏମିତିରେ ବି ହରି ପୁରୁଣା ରଙ୍ଗଛଡ଼ା ଢିଲା ଜାମା ଆଉ ଭଙ୍ଗା ଚଷମା ପିନ୍ଧେ ; ଏମିତି ପିଲା ସାଙ୍ଗରେ କିଏ ବା ମିଶିବ -- ତା' ଛଡ଼ା ଦୁଦୁଲି ଦଳ ସହିତ ବିବାଦ କରିବାକୁ କାହାର ସାହସ ଅଛି ?

-- ଦ୍ବିତୀୟ ଅଧ୍ୟାୟ ଶେଷ --

[ ଏଠାରେ ପଢନ୍ତୁ ଭାଗ - ୧୧ ]   


ମୂଳ ରଚନା -- ଜେ. କେ. ରାଓଲିଂ
ଅନୁବାଦ -- ଗଣେଶ